ପୁଣି ଜନନୀ ଯନ୍ତ୍ରଣା ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

କଳାହାଣ୍ଡି : ପୁଣି ଜନନୀ ଯନ୍ତ୍ରଣା ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା | କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ ଘେରା ଥୁଆ ମୂଳ ରାମପୁର ବ୍ଲକ ଅଡ୍ରି ଗ୍ରାମ ପଞ୍ଚାୟତ ଅଧିନସ୍ଥ କୋକେଲ୍ ପଦର ଗ୍ରାମର ଲକ୍ଷ୍ମୀ ମାଝୀ ନାମକ ଜଣେ ଗର୍ଭବତୀ ମହିଳା ୩ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହା ହୋଇ କଷ୍ଟ ଭୋଗିଲେ। ସୋମବାର ମହିଳା ଜଣକ ପ୍ରସବ ଯନ୍ତ୍ରଣା ହେବା ଯୋଗୁଁ ମେଡ଼ିକାଲ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସର ସହାୟତା ଲୋଡ଼ିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଗାଁକୁ ରାସ୍ତା ନଥିବା ହେତୁ ଆମ୍ବୁଲାନ୍ସ ଟି ଗାଁକୁ ପହଞ୍ଚି ପାରିନଥିଲା। ଯାହାଫଳରେ ଗର୍ଭବତୀ ମହିଳାଙ୍କ ସଂପର୍କୀୟ ଲୋକେ ବାଧ୍ୟ ହୋଇ ଖଟିଆରେ ବହି ବଡବଫଲା ଗାଁ ନିକଟରେ ଅଟକି ରହିଥିବା ଆମ୍ବୁଲାନ୍ସ ପାଖକୁ ଆଣିଥିଲେ।

ଅଡ୍ରି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ବିଳମ୍ବ ଯୋଗେ ମେଡିକାଲ୍ ପହଞ୍ଚି ଥିଲେ ବି ମା ଓ ନବଜାତ ଶିଶୁର ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ରହିଥିବା ସୁଚନା ମିଳିଛି। ଥୁଆ ମୂଳ ରାମପୁର ବ୍ଲକର ଅନେକ ଗାଁ ଗୁଡ଼ିକରେ ରାସ୍ତା ଘାଟର ସମସ୍ୟା ଲାଗି ରହିଥିବା ଯୋଗୁଁ ସଦାସର୍ବଦା ଏଭଳି ପରିସ୍ଥିତର ସମୁଖୀନ ହେବାକୁ ପଡ଼ିଥାଏ ଅଞ୍ଚଳ ବାସୀଙ୍କୁ। ରୋଗୀ କିମ୍ବା ଗର୍ଭବତୀ ଙ୍କ ଖଟିଆ ବୁହା ମୁକ୍ତ ଅଞ୍ଚଳ ଥୁଆମୂଳ ରାମପୁର ବେକେ ହେବ ତାହା ଦେଖିବାକୁ ବାକି ରହିଲା।