କେରଳ : ଭୂସ୍ଖଳନ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି

ୱାୟନାଡ କେରଳର ୱାୟନାଡରେ ଭୂସ୍ଖଳନ ରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏବେ ସୁଦ୍ଧା ୨୪ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କୁନି କୁନି ପିଲା ମଧ୍ୟ ଅଛନ୍ତି । ସେହିପରି ଆଗକୁ ମୃତ୍ୟୁ ସଂଖ୍ୟାରେ ବଢ଼ିବାର ଆଶଙ୍କା ରହିଛି । ଅନ୍ୟପଟେ ଏବେ ବି ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇଥିବା ଅନୁମାନ କରାଯାଉଛି । ମଙ୍ଗଳବାର ସକାଳେ ମେପ୍ପାଡି ନିକଟରେ ଏହି ଘଟଣା ଘଟିଛି।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (କେଏସଡିଏମଏ) କହିଛି ଯେ ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଦଳ ନିୟୋଜିତ ହୋଇଛନ୍ତି। NDRF ର ଏକ ଅତିରିକ୍ତ ଦଳ ୱାୟନାଡକୁ ଯାଉଛନ୍ତି । ଏହି ଅଞ୍ଚଳର ସିଏମଓ ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ – ଜାତୀୟ ସ୍ବାସ୍ଥ୍ୟ ମିଶନ ଏକ ନିୟନ୍ତ୍ରଣ କକ୍ଷ ଖୋଲି ଜରୁରୀକାଳୀନ ସହାୟତା ପାଇଁ 9656938689 ଏବଂ 8086010833 ହେଲ୍ପଲାଇନ ନମ୍ବର ଜାରି କରିଛି।

ଭୂସ୍ଖଳନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ସିଏମ ପିନାରାଇ ବିଜୟଙ୍କ ସହ କଥା ହୋଇଛନ୍ତି। ଏଥିସହ ସେ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ଉଦ୍ୟମକୁ ନିଶ୍ଚିତ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ, ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ମଧ୍ୟ ଏସମ୍ପର୍କରେ ଆଲୋଚନା କରିଛନ୍ତି ଓ ରିଲିଫ କାର୍ୟ୍ୟରେ ସାହାଯ୍ୟ ଯୋଗାଇଦେବାକୁ ବିଜେପି କର୍ମୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।

ମେପ୍ପାଡି ନିକଟ ପାହାଡ ଅଞ୍ଚଳରେ ଘଟିଥିବା ବିରାଟ ଭୂସ୍ଖଳନକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏକ୍ସ ଆକାଉଣ୍ଟରେ ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଜଣାଇଛନ୍ତି । ଲେଖିଛନ୍ତି, ମୁଁ ଆଶା କରୁଛି ଯେଉଁମାନେ ଏବେ ବି ଫଶି ରହିଛନ୍ତି ସେମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ।