ଶ୍ରାବଣ ମାସର ପ୍ରଥମ ସୋମବାରରେ ଲୋକନାଥଙ୍କ ପିଠିରେ କାଉଡିଆଙ୍କ ଗହଳି

ପୁରୀ / ସଞ୍ଜୟ ମହାପାତ୍ର: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ଶ୍ରୀକ୍ଷେତ୍ରର ଲୋକନାଥଙ୍କ ପିଠିରେ ଲାଗିଲାଣି ଶହଶହ କାଉଡିଆ ଭକ୍ତଙ୍କ ଗହଳି ଚହଳି। କିଏ କଟକ ଗଡଗଡିଆ ଘାଟରୁ ତ ଆଉ କିଏ ଭାର୍ଗବୀ ନଦୀରୁ ପାଣି ଉଠାଇ ମହାପ୍ରଭୁ ଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି। ଶ୍ରାବଣମାସର ପ୍ରଥମ ସୋମବାରରେ ଲୋକନାଥଙ୍କ ନିକଟରେ ଜଳଲାଗି କରି ଆତ୍ମବିଭୋର ହୋଇପଡିଛନ୍ତି ଭକ୍ତ। କାଉଡିଆ ଭକ୍ତଙ୍କ ଆଗମନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ତେବେ ଶ୍ରାବଣମାସର ପ୍ରଥମ ସୋମବାରରେ ମହିଳା କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଛି। ଅତି ନିଷ୍ଠା ଓ ସମର୍ପଣ ଭାବ ନେଇ ତୁହାକୁ ତୁହା ବର୍ଷା ସତ୍ତ୍ୱେ ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି। ତେବେ ଶ୍ରୀଲୋକନାଥଙ୍କର ଅପୂର୍ବ ମହିମା ରହିଛି। ଭକ୍ତ ଯାହା କାମନା କରନ୍ତି ପ୍ରଭୁ ତାହା ପ୍ରଦାନ କରିଥାନ୍ତି। ତେବେ ଶ୍ରୀକ୍ଷେତ୍ରକୁ ଆସିଲେ କାଉଡିଆ ମାନଙ୍କୁ ତିନୋଟି ପୁଣ୍ୟ ଫଳ ମିଳିଥାଏ । ଶ୍ରୀମନ୍ଦିରରେ ଶ୍ରୀଜୀୟୁ ମାନଙ୍କ ଦର୍ଶନ, ମହୋଦଧିରେ ଦିବ୍ୟ ସ୍ନାନ ତତସହ ଶ୍ରୀଲୋକନାଥଙ୍କ ନିକଟରେ ଜଳଲାଗି।ସେପଟେ କାଉଡିଆ ମାନଙ୍କ ପାଇଁ ଶ୍ରୀଲୋକନାଥଙ୍କ ପିଠରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜଳଭାର ରଖିବା ସହ ବିଶ୍ରାମର ବ୍ୟବସ୍ଥା ହୋଇଛି।