ପିତାମ୍ବର ଆଚାର୍ଯ୍ୟଙ୍କୁ ମିଳିଲା ଆଡଭୋକେଟ ଜେନେରାଲ ଦାୟିତ୍ୱ

କିଛି ବିଳମ୍ବରେ ହେଉ ପଛେ ରାଜ୍ୟ ସରକାରଙ୍କୁ ମିଳିଛି ତାଙ୍କ ଆଡଭୋକେଟ ଜେନେରାଲ । ବିଜେପି ନେତା ତଥା ହାଇକୋର୍ଟର ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟଙ୍କୁ ଏଜି ନିୟୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭାରତୀୟ ସମ୍ବିଧାନର ଆର୍ଟିକିଲ ୧୬୫ କ୍ଲଜ (୧) ମୁତାବକ ହାଇକୋର୍ଟର ବରିଷ୍ଠ ଓକିଲ ପିତାମ୍ବର ଆଚାର୍ୟ୍ୟଙ୍କୁ ତତକ୍ଷଣାତ ରାଜ୍ୟର ଏଜି ଭାବେ ନିଯୁକ୍ତ କରିବାକୁ କୁହାଯାଇଛି । ତେବେ ସରକାର ବଦଳିବା ପରେ ପୂର୍ବତନ ଏଜି ନିଜ ପଦରୁ ଇସ୍ତଫା ଦେଇଥିଲୋ ବିଜେପି ରାଜ୍ୟରେ ୧୨ ତାରିଖରେ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ ମଧ୍ୟ ଏଜି ନିୟୁକ୍ତ କରିନଥିଲ।। ଯାହାକୁ ନେଇ ବିଭିନ୍ନ ବର୍ଗରୁ ସରକାରକୁ ସମାଲୋଚନା କରାଯାଉଥିଲା । ଏହି ବିଳମ୍ବତାକୁ ନେଇ ଦଳରେ ଥିବା ଦ୍ୱିମତକୁ ମଧ୍ୟ ଅନେକ ଦାୟୀ କରିଥିଲେ ।

ମୁଖ୍ୟମନ୍ତ୍ରୀ ପିତାମ୍ବରଙ୍କୁ ଏଜି କରିବାକୁ ଚାହୁଁଥିବା ବେଳେ ବିଜେପିର ଏକ ଗୋଷ୍ଠି ମାନସ ମହାପାତ୍ରଙ୍କୁ ଚାହୁଁଥିଲା, ଯାହାଙ୍କର ବିଜେଡି ସହ ପୂର୍ବରୁ ଘନିଷ୍ଠତା ଥିଲା ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲ।। ସେପଟେ ସରକାରଙ୍କ ଶପଥପାଠକୁ ଦେଢ ମାସ ହେବାକୁ ଥିବା ବେଳେ ଏଜି ନ ଥିବାକୁ ନେଇ ହାଇକୋର୍ଟ ମଧ୍ୟ ସରକାରଙ୍କୁ ତାଗିଦ କରିସାରିଛନ୍ତି । ଅନ୍ୟପଟେ ଏହି ପଦଟି ଖାଲି ପଡିବାରୁ ହାଇକୋର୍ଟରେ ଲମ୍ବିତ ସରକାର ବିରୋଧୀ ମାମଲାରେ ସରକାର ନିଜ ପକ୍ଷ ଉପସ୍ଥାପନ କରିପାରୁ ନ ଥିଲେ , ଯାହା ସରକାରଙ୍କୁ ଉପହାସିତ କରିଥିଲା ।