ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ପ୍ରତ୍ୟେକ ଶୈବପୀଠ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ

ଗଜପତି/ବିବେକାନନ୍ଦ ବେହେରା : ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ପ୍ରତ୍ୟେକ ଶୈବପୀଠ। ଭୋରରୁ ହିଁ ସମସ୍ତ ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ। ପ୍ରମୁଖ ଶିବମନ୍ଦିର ଓ ଶୈବପୀଠରେ ମହାଶିବରାତ୍ରୀ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ସଖାଳୁ ଭକ୍ତମାନେ ନଡ଼ିଆ, କଦଳୀ,ଫୁଲ ବେଲପତ୍ର,ଦୀପ ଧୂପ କ୍ଷୀର ଦହି ମହୁ ଧରି ବିଭିନ୍ନ ଶିବମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ କରି ମନସ୍କାମନା ଜଣାଇଛନ୍ତି। ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହାଦୀପ ଜଳାଇ ଭକ୍ତ ମାନେ ଜାଗର ରହିବେ।ଆଲୋକ ସଜ୍ଜାରେ ମନ୍ଦିର ଗୁଡିକ ଝଲସି ଉଠୁଛି।

ମନ୍ଦିରର ଶାନ୍ତି ଶୃଙ୍ଖଳା ସକାଶେ ପୋଲିସ ମୃତୟନ କରାଯାଇଛି।ସହରର ରାମ ଲିଙ୍ଗେଶ୍ୱର ମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର, ଚନ୍ଦ୍ର ଶେଖର ମହାଦେବ ମନ୍ଦିର, ଧବଳେଶ୍ବର ମନ୍ଦିର ଏହି ପରି ବିଭିନ୍ନ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ଶିବ ମନ୍ଦିରରେ ଭକ୍ତ ମାନେ ପୂଜାର୍ଚ୍ଚନା କରି ଉପବାସ ରହି ଜାଗର ରହିବାର ଦେଖିବାକୁ ମିଳିଛି। ମନ୍ଦିର ଗୁଡିକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।