ଭୁବନେଶ୍ବର : ଅରୁଣ ଷଡଙ୍ଗୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ । ପୁଲିସ ଡିଜି ସୁନୀଲ ବଂଶଲ ଆସନ୍ତାକାଲି ଅବସର ନେଉଥିବା ବେଳେ ତାଙ୍କ ସ୍ଥାନରେ ଅରୁଣ ଷଡ଼ଙ୍ଗୀଙ୍କୁ DGP ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ଥାୟୀ ଡିଜିପି ନିଯୁକ୍ତି ଯାଏ ଦାୟିତ୍ବରେ ରହିବେ ଅରୁଣ ଷଡ଼ଙ୍ଗୀ। ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଫିସର ଅରୁଣ ଷଡ଼ଙ୍ଗୀ ବର୍ତ୍ତମାନ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟରତ ଅଛନ୍ତି।
ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟ ପୁଲିସ ଡିଜି ଥିବା ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଗତମାସ ନଭେମ୍ବର ୧୮ ତାରିଖରେ ରାଜ୍ୟ ସରକାର ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲଙ୍କୁ ଅବସର ଅନୁମତି ପ୍ରଦାନ କରିଥିଲେ। ୨୦୨୧ ଡିସେମ୍ବରରେ ଓଡ଼ିଶାର ପୁଲିସ ଡିଜି ଭାବେ ଦାୟିତ୍ବ ନେଇଥିଲେ ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ। ୧୯୮୭ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର ୧୯୮୮ରେ ପ୍ରଥମେ ଢେଙ୍କାନାଳର ଅତିରିକ୍ତ ଏସପି ହୋଇଥିଲେ ।ଏହାପରେ ମୟୂରଭଂଜ ଏସପି ଭାବେ କାର୍ଯ୍ୟ କରିଥିଲେ ସୁନୀଲ ବଂଶଲ। ୧୯୯୪ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଦୀର୍ଘ ୨୭ ବର୍ଷ ପରେ ୨୦୨୧ରେ ଓଡିଶା ଫେରିବା ସହିତ ପୁଲିସ ବିଭାଗର ସବୁଠାରୁ ବଡ ପଦବୀ ଗ୍ରହଣ କରିଥିଲେ।