ରେକର୍ଡ କଲା ଟୁଇନ ସିଟି ପ୍ରଦୂଷଣ

ଭୁବନେଶ୍ୱର: ଦୀପାବଳିରେ ଧୂଆଁମୟ ରାଜଧାନୀ । ସାଂଘାତିକ ହେଲା କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ସ୍ଥିତି। ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ରେକର୍ଡ ଛୁଇଁଥିଲା। ଆତସବାଜିରେ ଥିବା କ୍ଷତିକାରକ ରାସାୟିକ ପଦାର୍ଥ ଓ ଧୂଳିକଣା ବାୟୁମଣ୍ଡଳରେ ପ୍ରବେଶ କରି ବାୟୁର ମାନକୁ ହ୍ରାସ କରିଛି। ରବିବାର ରାତି ଓ ସୋମବାର ସକାଳ ସୁଦ୍ଧା ଭୁବନେଶ୍ୱରର କେତେକ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ରୁ ୪୦୦ ପହଁଞ୍ଚିଥିବା ଜଣାପଡ଼ିଛି। ସାଧାରଣତଃ ନଭେମ୍ବର ମାସରେ ବାୟୁ ଚଳାଚଳ କମ୍ ରହିଥାଏ। ଫଳରେ ବାୟୁରେ ଥିବା ବିଭିନ୍ନ ପ୍ରଦୂଷଣକାରୀ ତଥା କ୍ଷତିକାରକ ପଦାର୍ଥ ଭୂମିପତନଠାରୁ ଅଳ୍ପଦୂରରେ ସ୍ଥିର ରହିଥାଏ। ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ଦ୍ୱାରା ଲୋକମାନେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଭୋଗିଥାନ୍ତି। ସାଧାରଣତଃ ଶୂନରୁ ୫୦ ଏୟାର କ୍ୱାଲିଟି ଇଣ୍ଡେକ୍ସ ରହିଲେ ବାୟୁର ମାନ ଭଲ ଥାଏ। ୫୧ରୁ ୧୦୦ ମଧ୍ୟରେ ରହିଲେ ଏହା ସ୍ୱାଭାବିକ ସ୍ଥିତି ବୋଲି ବିବେଚିତ ହୋଇଥାଏ। ମାତ୍ର ଏହାଠୁ ଅଧିକ ହେଲେ ଏହା ବିଶେଷ କରି ଶ୍ୱାସରୋଗୀଙ୍କ ପାଇଁ ବିପଦ ବଢ଼ାଇଥାଏ। ବାୟୁର ଗୁଣାତ୍ମକମାନକୁ ସୁରକ୍ଷିତ ରଖିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଭୁବନେଶ୍ୱରର ଲିଙ୍ଗରାଜ ଅଞ୍ଚଳରେ ୧୧ ତାରିଖରେ ପ୍ରଦୂଷଣ ମାତ୍ରା ୧୩୦.୫୧ ଥିବା ବେଳେ ଦୀପାବଳି ଦିନ ଏହା ୨୪୩.୨୩ ରହିଥିଲା। ପଟିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ୧୦୬ରୁ ବଢ଼ି ୨୧୧ ହୋଇଥିଲା।