ଅସ୍ତରଙ୍ଗ: ଆରମ୍ଭ ହୋଇ ଯାଇଛି ବିରଳ ଅଲିଭ ରିଡଲେ କଇଛ ପ୍ରଜନନ ଋତୁ । ଏଥିପାଇ ସୁରକ୍ଷିତ ଆଗମନ ଓ ଅଣ୍ଡା ଦାନ ପାଇଁ ଓଡିଶା ଉପକୂଳରେ ସାମୁଦ୍ରିକ ମାଛ ଧରା ଉପରେ ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଯାରି କରାଯାଇଛି । ଏହି ନିୟମ ଆଜି ଠାରୁ କାର୍ଯ୍ୟକାରୀ ହେବ । ଏଥି ପାଇଁ ଅସ୍ତରଙ୍ଗ ଓ ପୁରୀ ଜିଲ୍ଲା ର ଅନେଇ ମତ୍ସ୍ୟଜୀବୀ ନିଜର ଜୀବିକା ହରାଇବାର ଆଶଙ୍କା କରାଯାଉଛି । କଇଁଛ ସୁରକ୍ଷା ପାଇଁ ନଭେମ୍ବର ପହିଲାଠାରୁ ଜୁନ୍ ପହିଲା ୬ମାସ ଧରି ସମୁଦ୍ର କୂଳରୁ ୨୦ କି.ମି. ସାମୁଦ୍ରିକ ଜଳସୀମାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଯନ୍ତ୍ର ଚାଳିତ ମାଛଧରା ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ବିଜ୍ଞପ୍ତିରେ ଯାନ୍ତ୍ରିକ ଉପାୟରେ ମାଛ ଧରୁଥିବା ସମସ୍ତ ମାଛଧରା ଡଙ୍ଗା, ଟାପା ଓ ଟ୍ରଲର ଚଳାଚଳକୁ ଏହି ସାମୁଦ୍ରିକ ଜଳସୀମା ମଧ୍ୟରେ ନିଷେଧ କରାଯାଇଛି। ଏଥି ସହିତ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ରାଜ୍ୟ ପୁଲିସ ଓ ତଟରକ୍ଷୀ ବାହିନୀକୁ କ୍ଷମତା ଦିଆଯାଇଛି। ବନ୍ୟପ୍ରାଣୀ ଆଇନ୍୧୯୭୨ ଅନୁଯାୟୀ ବିଲୁପ୍ତପ୍ରାୟ ପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସାମୁଦ୍ରିକ କଇଁଛଙ୍କୁ ଆଇନର ସୂଚୀ (୧)ରେ ସରକାର ତାଲିକାଭୁକ୍ତ କରିଛନ୍ତି। ଏହି କଇଁଛଙ୍କ ସମାଗମ ପାଇଁ ଅସ୍ତରଙ୍ଗ ଦେବୀ ମୁହାଣ ଅବବାହିକା ପ୍ରସିଦ୍ଧି ଲାଭ କରିଛି। ବିଶ୍ବର ୫ଟି ପ୍ରସିଦ୍ଧ ସ୍ଥାନ ମଧ୍ୟରୁ ଅଲିଭ ରିଡଲେ କଇଁଛଙ୍କ ସମାଗମ ପାଇଁ ଅସ୍ତରଙ୍ଗ ସାମୁଦ୍ରିକ ବେଳାଭୂମି ତୃତୀୟ ସ୍ଥାନରେ ରହିଛି। ୧୯୮୧ରେ ପ୍ରଥମେ ଅସ୍ତରଙ୍ଗ ଦେବୀ ମୁହାଣରେ ଏହି ବିରଳ ସାମୁଦ୍ରିକ ପ୍ରାଣୀ ଦେଖାଦେଇଥିଲେ। ୧୯୯୬ରେ ଆମେରିକାର ଆନ୍ତର୍ଜାତିକ ବାଣିଜ୍ୟ ସଂକ୍ରାନ୍ତ ନ୍ୟାୟାଳୟ ରାୟ ଦେଇଥିଲେ ଯେ, ଯେଉଁ ଦେଶରୁ ଆମେରିକା ଚିଙ୍ଗୁଡ଼ି ଆମଦାନୀ କରୁଛି ଯଦି ସେଠାରେ ସମୁଦ୍ରରୁ ଚିଙ୍ଗୁଡ଼ି ଧରିଲା ବେଳେ ସାମୁଦ୍ରିକ କଇଁଛଙ୍କ ପ୍ରତି ବିପଦ ସୃଷ୍ଟି ହେଉଥାଏ ଏବଂ ଏହାକୁ ଏଡ଼ାଇବା ପାଇଁ ପଦକ୍ଷେପ ନିଆ ନ ଯାଏ ତେବେ ସେହି ଦେଶଗୁଡ଼ିକରୁ ଆମେରିକା ଚିଙ୍ଗୁଡ଼ି ଆମଦାନୀ କରିବ ନାହିଁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଆମ ରାଜ୍ୟରେ ଏହି ଆଇନ୍ କାର୍ଯ୍ୟକାରୀ ହେଉଛି। ଅସ୍ତରଙ୍ଗ ବନାଞ୍ଚଳ ବନପାଳ ବଳରାମ ସାହୁ କୁହନ୍ତି, ଅସ୍ତରଙ୍ଗ ବନାଞ୍ଚଳ ଦେବୀ ମୁହାଣରୁ କେଳୁଣି ମୁହାଣ ପର୍ଯ୍ୟନ୍ତ ୫ଟି ଅସ୍ଥାୟୀ ଶିବିର କରାଯାଇ ସାମୁଦ୍ରିକ କଟକଣା ସୁନିଶ୍ଚିତ କରିବା ପାଇଁ କର୍ମଚାରୀଙ୍କୁ ମୁତୟନ କରାଯାଇଛି।