ବ୍ୟାସନଗର : ଜମିପଟ୍ଟା ପାଇଁ ୬୬ଟି ଆଦିବାସୀ(ସାନ୍ତାଳ) ପରିବାର ବର୍ଷବର୍ଷ ହେଲା ସଂଘର୍ଷ କରୁଛନ୍ତି। ବାପା, ଜେଜେ ଅମଳର ଭିଟାମାଟିକୁ ନିଜର କରିବାକୁ ସଂଗ୍ରାମ କରୁଥିବା ବେଳେ ପ୍ରଶାସନ ସେମାନଙ୍କ ଦୁଃଖ ବୁଝୁନାହିଁ। ଫଳରେ ଅନେକ ଉଚ୍ଚ ଶିକ୍ଷିତ ଯୁବକଯୁବତୀ ପାଠପଢ଼ି ମଧ୍ୟ ନିଯୁକ୍ତି ପାଇପାରୁନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ବ୍ୟାସନଗର ତହସିଲ ଅନ୍ତର୍ଗତ ପାଟରଙ୍ଗା ପଞ୍ଚାୟତ ଗୋହିରାଗାଡ଼ିଆ ଗ୍ରାମରେ ଶହେ ବର୍ଷରୁ ଅଧିକ ସମୟ ହେଲା ୬୬ଟି ଆଦିବାସୀ ପରିବାର ଜଙ୍ଗଲ ଜମି ଉପରେ ରହି ଆସୁଛନ୍ତି। ଯାଜପୁର-କେନ୍ଦୁଝର ସୀମାନ୍ତ ବରାଙ୍ଗ ଜଙ୍ଗଲ ଉପରେ ଏମାନେ ରହୁଥିବା ବେଳେ ଏହା ନିକଟରେ ଥିବା ଜଙ୍ଗଲ ଜମିକୁ ଚାଷଜମି ଭାବେ ବ୍ୟବହାର କରୁଛନ୍ତି। ହେଲେ ଏତେ ବର୍ଷ ପରେବି ସେମାନଙ୍କୁ ଘରଡିହ ପଟ୍ଟା ମିଳିପାରିନାହିଁ। ଫଳରେ ଏହି ଲୋକମାନେ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଜମିପଟ୍ଟା ନଥିବାରୁ ବ୍ୟାଙ୍କରୁ ଋଣ ମଧ୍ୟ ମିଳୁନାହିଁ। ଜମି ଚାଷ କରୁଥିଲେ ମଧ୍ୟ ଆବଶ୍ୟକ ସମୟରେ ଏହାକୁ ବିକ୍ରି କରିପାରୁନାହାନ୍ତି। ଅନ୍ୟପକ୍ଷରେ ଜମିପଟ୍ଟା ନଥିବାରୁ ଏହି ପରିବାରର ପିଲାମାନଙ୍କୁ ଜାତି କିମ୍ବା ବାସସ୍ଥାନ ପ୍ରମାଣପତ୍ର ମିଳୁନାହିଁ।
ଫଳରେ ୩୦ରୁ ଅଧିକ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ନିଯୁକ୍ତି ବାଟ ବନ୍ଦ ହୋଇଯାଇଛି। ଏହାର ପ୍ରତିବାଦରେ ଆସିଥିବା ଉଚ୍ଚଶିକ୍ଷିତା ସୁନିତା ଟୁଡୁ ଓ ମାଳତୀ ଟୁଡୁ ପଟ୍ଟା ନଥିବାରୁ ସେମାନଙ୍କ ଭବିଷ୍ୟତ ନଷ୍ଟ ହେବାକୁ ଯାଉଛି ବୋଲି ଅଭିଯୋଗ କରିଛନ୍ତି। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁସାରେ, ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇ ଗ୍ରାମସଭା ଜରିଆରେ ଡିହପଟ୍ଟା ପାଇଁ ଆଲୋଚନା ହୋଇଛି। କମିଟି ପକ୍ଷରୁ ପ୍ରତ୍ୟେକ ପରିବାରକୁ ଘରଡିହ ପଟ୍ଟା ପ୍ରଦାନ ପାଇଁ ପ୍ରଶାସନକୁ ନିବେଦନ କରାଯାଇଛି। କିନ୍ତୁ ଯାଜପୁର ଜିଲ୍ଲା ପ୍ରଶାସନ ୪ ମାସ ହେଲା ଗ୍ରାମସଭା ଆବେଦନକୁ କାର୍ଯ୍ୟକାରୀ କରିବାକୁ ପଛଘୁଞ୍ଚା ଦେଉଛି।