ଶ୍ରୀହରିକୋଟା : ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ ଆଦିତ୍ୟ ଏଲ-୧ ସାଟେଲାଇଟ । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଚନ୍ଦଯାନ-୩ର ସଫଳତା ପରେ ଆସନ୍ତାକାଲି ଇସ୍ରୋ ଆରମ୍ଭ କରିବ ସୌର ମିଶନ । ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ ଏଲ-୧ । ଏବେ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ପୃଥିବୀ ଠାରୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ-୧ । ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି ।
ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ । ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ । ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ । ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ହେବ । ସେଠାରେ ପରାଗ ବା ଗ୍ରହଣର କୌଣସି ପ୍ରଭାବ ପଡ଼ୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରହିବ । ଏଥିରେ ମୋଟ ୭ଟି ପେ’ଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ । ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ ।
ଇସ୍ରୋ ପ୍ରଥମଥର ମିଶନ ସୂର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । କିନ୍ତୁ ସୂର୍ଯ୍ୟର ରହସ୍ୟ ଭେଦିବାକୁ ପ୍ରାଚୀନ କାଳରୁ ପ୍ରୟାସ ଜାରି ରହିଛି । କିଛି ବିକଶିତ ଦେଶ ସୂର୍ଯ୍ୟ ନିକଟକୁ ଅଧିକ ଗବେଷଣା ପାଇଁ ମହାକାଶଯାନ ବି ପଠାଇସାରିଛନ୍ତି । ଇସ୍ରୋର ଚେୟାରମ୍ୟାନ ଏସ୍ ସୋମନାଥ ଆଜି ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ କହିଛନ୍ତି, ଆଦିତ୍ୟ ଏଲ-୧ ଉପଗ୍ରହକୁ ଲଞ୍ଚ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରକେଟ୍ ଓ ସାଟେଲାଇଟ୍ ପ୍ରସ୍ତୁତ ହୋଇ ସାରିଛି । ରିହର୍ସଲ ବି ସରିଛି । ଆଜିଠୁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆଦିତ୍ୟ ଏଲ-୧ ଉପରେ ସମଗ୍ର ବିଶ୍ୱ ନଜର ରଖିଛି । ଶନିବାର ହେବାକୁ ଥିବା ଏହି ଲଞ୍ଚ ପ୍ରୋଗ୍ରାମ ଦେଖିବାକୁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶ୍ରୀହରିକୋଟ ଲଞ୍ଚପ୍ୟାଡରୁ ଆଦିତ୍ୟ ଏଲ-୧ ଉତକ୍ଷେପଣ ଦେଖିବା ନିମନ୍ତେ ସିଟ ବୁକିଂ ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ଇସ୍ରୋର ୱେବସାଇଟରେ ବି ଦର୍ଶକମାନେ ଆଦିତ୍ୟ ଏଲ-୧ ଲଞ୍ଚର ଲାଇଭ ଟେଲିକାଷ୍ଟ ଦେଖିପାରିବେ । ଇସ୍ରୋର ୟୁଟ୍ୟୁବରେ ବି ଦର୍ଶକ ଏହାର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ ।
ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ ଏଲ-୧ର ମୂଳ ଲକ୍ଷ୍ୟ । ସେଥିପାଇଁ ଲାଗ୍ରେଞ୍ଜ ପଏଣ୍ଟ ଏକ ସ୍ୱତନ୍ତ୍ର ସ୍ଥାନ । କାରଣ ସୂର୍ଯ୍ୟଠାରୁ ବାହାରୁଥିବା କରୋନାଲ ମାସ ଇଜେକ୍ସନ ଓ ସୌର ଝଡ଼ ଏହି ପଥ ଦେଇ ପୃଥିବୀ ଆଡ଼କୁ ଯାଇଥାଏ । ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମାସ୍ପିଅର ଓ ବାହ୍ୟସ୍ତର କରୋନାର ଅନୁଧ୍ୟନା କରିବା ପାଇଁ ଆଦିତ୍ୟ ଏଲ-୧ରେ ୭ଟି ପ୍ଲେଲୋଡ ରହିବ । ସେଥି ମଧ୍ୟରୁ ଏହି ଚାରିଟି ପ୍ଲେଲୋଡ ସିଧାସଳଖ ସୂର୍ଯ୍ୟଙ୍କୁ ନିରୀକ୍ଷଣ କରିବ । ଅବଶିଷ୍ଟ ତିନିଟି ଏଲ-୧ ପଏଣ୍ଟରେ କଣିକା ଏବଂ କ୍ଷେତ୍ରର ଇନ୍-ସିଟ୍ ଅଧ୍ୟୟନ କରାଯିବ । ସୌରପୃଷ୍ଠର ବାହାର ପରସ୍ତ ବା କରୋନାକୁ ଅନୁଧ୍ୟାନ କରିବା ପାଇଁ ଇନଷ୍ଟଲ ହୋଇଥିବା କୋରନାଗ୍ରାଫ ପେଲୋଡ ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟଟ ଅଫ ଆଷ୍ଟ୍ରୋଫିଜିକ୍ସ ସ୍ୱଦେଶୀ ଜ୍ଞାନକୌଶଳ ଆପଣାଇ ବିକଶିତ କରାଯାଇଛି ।