ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ : ସର୍ବାଧିକ କାଳ ସିଏମ୍ ପଦରେ ରହିବାରେ ଦେଶର ହେବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଉ ଏକ ନୂଆ ରେକର୍ଡ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗି ଦେଶର ଦ୍ୱିତୀୟ ସର୍ବାଧକ କାଳ ମୁଖ୍ୟମନ୍ତ୍ରୀ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ । ଆସନ୍ତାକାଲି ସର୍ବାଧିକ କାଳ ସିଏମ୍ ପଦରେ ରହିବାରେ ନବୀନ ହେବେ ଦେଶରେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ । ୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ ଓଡ଼ିଶାର ଶାସନ ଗାଦିରେ ବସିଥିଲେ ନବୀନ । ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳରେ ୨୩ବର୍ଷ ୧୩୭ ଦିନ ଅତିକ୍ରମ କରି ସାରିଛନ୍ତି ନବୀନ । ଆଜି ସେ ଜ୍ୟୋତି ବସୁଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।
ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଜୁଲାଇ ୨୨ରେ ଏହି ରେକର୍ଡ ସହ ସମକକ୍ଷ ହୋଇଛନ୍ତି ନବୀନ । ସୂଚନାଯୋଗ୍ୟ, ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ । ସେ ୧୨ ଡିସେମ୍ବର ୧୯୯୪ରୁ ୨୦୧୯ ମେ’ ୨୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ବର୍ତ୍ତମାନ ତାଙ୍କ ପଛକୁ ନବୀନ ରହିଛନ୍ତି ।
ପଓ୍ଵନ କୁମାର ଚାମଲିଙ୍ଗ, ଜ୍ୟୋତି ବସୁ ଓ ନବୀନ ନିରବଚ୍ଛିନ୍ନ ଭାବରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି । ଯାହା ଦେଶରେ ଏକ ରେକର୍ଡ । ନବୀନ ଶାସନ ଭାର ସମ୍ଭାଳିବା ପରେ ଭୋକର ଭୂଗୋଳରୁ ବାହାରି ଓଡ଼ିଶା ଖାଦ୍ୟଶସ୍ୟରେ ବଳକା ରାଜ୍ୟ ହୋଇଛି । ମୁଣ୍ଡପିଛା ଆୟ ବୃଦ୍ଧି, ମହିଳା ସଶକ୍ତିକରଣ, ଶିଳ୍ପ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଭିତ୍ତିଭୂମିରେ ବିକାଶ ହୋଇଛି । ନିରନ୍ତର ବିକାଶ ଓ ଜନକଲ୍ୟାଣକାରୀ ଯୋଜନା ବଳରେ ଲୋକଙ୍କ ପ୍ରିୟଭାଜନ ହୋଇପାରିଛି ନବୀନ ସରକାର ।