ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ହୋ ଭାସାର ନିଜସ୍ୱ ଲିପି ୱାରାଂଚିତି ପ୍ରଣେତା ଗୁରୁ ଲାକୋ ବଦ୍ରାଙ୍କ ୩୭ ତମ ପୁଣ୍ୟତିଥି ରାଇରଙ୍ଗପୁରସ୍ଥିତ ହୋ ସମାଜ ସିଦାହରା ସୁସାର ପରିସରରେ ପାଳିତ ହୋଇଯାଇଛି । ସୁସାର ଆକାଳାର ବାମନଘାଟି ଉପଖଣ୍ଡର ସଭାପତି ପଦ୍ମଚରଣ ବାନରାଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଲାକୋ ବଦ୍ରାଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରାଯାଇ ସୁସାର ଆକାଳାର ବରିଷ୍ଠ ସଭ୍ୟ ଜୟପାଲ ସିଂ ମୁନ୍ଦୁୟା ଲାକୋ ବଦ୍ରାଙ୍କ ଜୀବନୀ ଏବଂ ବର୍ତ୍ତମାନ ଚାଲିଥିବା ହୋ ଭାଷା ଆନ୍ଦୋଳନର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ‘ଯେଉଁ ଜାତି ହେଉନା କାହିଁକି, ଯାହାର ବି ମାତୃଭାଷା ଅଛି, ତାହା ସେ ଜାତି ପାଇଁ ଗର୍ବ ଓ ଗୌରବ’ ବୋଲି କହିଥିଲେ। ପ୍ରତ୍ୟେକ ହୋ ଭାଷାଭାଷୀ ସେମାନଙ୍କର ନିଜ ମାତୃଭାଷାକୁ ଭଲ ପାଇବା ସହିତ ହୋ ଭାଷାର ବିକାଶ ପାଇଁ ଯତ୍ନବାନ ହେବାକୁ ସେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସ୍ମିତାଶ୍ରୀ ବିରୁଆ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଗୋମେୟା ଗାଗରାଇ, ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ପ୍ରବକ୍ତା ମନୋରଞ୍ଜନ ତିରିଆ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବାମନଘାଟି ଉପଖଣ୍ଡ ଅଞ୍ଚଳର ହାଇସ୍କୁଲ ପରୀକ୍ଷାରେ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ହୋ ଛାତ୍ରଛାତ୍ରୀ ଭାଗ୍ୟଶ୍ରୀ ସିଙ୍କୁ, ପୂଜା ମୁନ୍ଦୁୟା, ଜିନା ନାଏକ, ଦୀପକ ହାଁସଦା, ରାଖୀ ନାଏକ, ଲାଗୁରୀମା କଣ୍ଡାଙ୍ଗକେଲ, ମୌସୁମୀ ତିରିଆ, ନିମିର ତିରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ହୋ ସମାଜ ସିଦାହରା ସୁସାର ଆକାଳାର ବିଜୟ କୁମାର କଣ୍ଡାଙ୍ଗକେଲ, ବିଜୟ କୁମାରି ମୁନ୍ଦୁୟା, ଯୋଗେଶ୍ୱର ଚାତାର, ଚୌଧୁରୀ ହେମ୍ବ୍ରମ, ପୂର୍ଣ୍ଣଚନ୍ଦ୍ର ସିଙ୍କୁ, ଗଣେଶ୍ୱର ଗୋଡ଼ସରା, ବିଷ୍ଣୁଚରଣ ହାଁସଦା, ଲକ୍ଷ୍ମଣ ପୁର୍ତ୍ତି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।