ପୁରୀ/ ଜୟନ୍ତ କୁମାର ସେଠି: ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣଦର୍ଶନ । ଆଜି ଶ୍ରୀମନ୍ଦିରରେ ୠକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ । ତେଣୁ ଅପରାହ୍ନ ୧ଟା ଠାରୁ ଅପରାହ୍ନ୫ଟା ପର୍ୟ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ । ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀ ମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ୠକ୍ମିଣୀ ହରଣ ଏକାଦଶୀ ବିଧି । ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ । ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ । ତେଣୁ ଏହି ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ବିଧି ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ଅନୁଷ୍ଠିତ ହେବ ।