କଟକ: ଜମିଜମା ଇ-ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ ବ୍ୟବସ୍ଥାରେ ବଡ଼ ପରିବର୍ତନ କରାଯାଇଛି । ଭିଡ଼ ସମସ୍ୟା ଦୂର କରିବା ପାଇଁ ଏଣିକି ଅନ୍ ଲାଇନ୍ ସ୍ଲଟ୍ ବୁକିଂ କରିବାକୁ ହେବ । ମିଳିଥିବା ସମୟ ଅନୁଯାୟୀ ଜମି ପଞ୍ଜିକରଣ କରାଯିବ । ଆଇଜିଆଇ ବା ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ପକ୍ଷରୁ ଏନେଇ ଘୋଷଣା ହୋଇଛି ।
ଆଇଜିଆରଙ୍କ ଘୋଷଣା ଅନୁସାରେ ଏଣିକି ଜମି କିଣାବିକା ବା ଯେକୌଣସି ସେଲ୍ ଡିଡ୍ ବା ପଞ୍ଜୀକରଣ ପାଇଁ ସବ୍ ରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାର ଆବଶ୍ୟକତା ରହିବ ନାହିଁ । ଜମି କିଣାବିକା ପାଇଁ ଅନଲାଇନରେ ଆଗୁଆ ସ୍ଲଟ୍ ବୁକିଂ କରିବାକୁ ପଡ଼ିବ । ସ୍ଲଟରେ ମିଳିଥିବା ସମୟ ଅନୁସାରେ ଜମି ପଞ୍ଜୀକରଣ ହେବ । ଯଦି ଅନଲାଇନରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇ ନଥିବେ ତେବେ ଜମି କିଣିବା ପାଇଁ ଅନୁମତି ମିଳିବ ନାହିଁ । ବିଶେଷ କ୍ଷେତ୍ରରେ ଅନଲାଇନରେ ପଞ୍ଜୀକରଣ କରାଇ ତତ୍କାଳ ସ୍ଲଟ୍ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିବ । ଏଭଳି ନିୟମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି ।