ବେଙ୍ଗାଲୁରୁ: ରାଜ୍ୟରେ ନୂଆ କଂଗ୍ରେସ ସରକାର ଗଠିତ ହେବା ପରେ ଆଜିଠାରୁ କର୍ଣ୍ଣାଟକ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ମେ ୨୪ ତାରିଖ ପର୍ୟ୍ୟନ୍ତ ଚାଲିବ। ବରିଷ୍ଠ କଂଗ୍ରେସ ନେତା ଆର୍. ଭି. ଦେଶପାଣ୍ଡେ ଏହି ଅଧିବେଶନର କାମଚଳା ବାଚସ୍ପତି ହେବେ। ତେବେ ଆଜି କର୍ଣ୍ଣାଟକ କଂଗ୍ରେସ କର୍ମୀମାନେ ଗୋମୂତ୍ର ସିଞ୍ଚନ କରି ରାଜ୍ୟ ବିଧାନସୌଧ ପରିସରକୁ ପରିଷ୍କାର ଓ ଶୁଦ୍ଧ କରିଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କର୍ଣ୍ଣାଟକ କଂଗ୍ରେସ ସଭାପତି ଡି. କେ. ଶିବକୁମାର ଚଳିତ ବର୍ଷ ଜାନୁଆରି ମାସରେ କହିଥିଲେ ଯେ, ଗୋମୂତ୍ରରେ ବିଧାନସୌଧ ଶୁଦ୍ଧ କରିବାର ସମୟ ଉପସ୍ଥିତ ହୋଇଛି। ‘ବିଜେପି’ ଶାସନ କାଳର ଦୁର୍ନୀତି ଯୋଗୁଁ ବିଧାନସଭା ଦୂଷିତ ହୋଇଯାଇଛି ବୋଲି ଶିବକୁମାର ଅଭିଯୋଗ କରିଥିଲେ।