ବଜ୍ରପାତରେ ମୃତ୍ୟୁ ନେଇ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଗତ ୩ ବର୍ଷରେ ରାଜ୍ୟରେ ବଜ୍ରପାତରେ କେତେ କେତେଜଣଙ୍କ ମୃତ୍ୟୁ ହୋଇଛି ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରା । ଯାହାର ଉତ୍ତର ରଖିଛନ୍ତି ରାଜସ୍ବ ଓ ବିପର୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ରାଜ୍ୟରେ ୮୮୧ ଜଣ ମୃତ୍ୟୁବରଣ କରିଛନ୍ତି । ଏହାସହ ୫୨ ଜଣ ଆହତ ହୋଇଛନ୍ତି । ଏଥିପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ଯଥାକ୍ରମେ ୩୫ କୋଟି ୨୪ ଲକ୍ଷ ଟଙ୍କା ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଦାନ କରାଯାଇଛି । ସେହିପରି ୨ ଲକ୍ଷ ୬୫ ହଜାର ୬୦୦ ଟଙ୍କା ଆହତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ତେବେ ବଜ୍ରପାତରେ କେତେ ଜଣଙ୍କ ଜୀବନ ଯାଇଛି ଆଉ ସେମାନଙ୍କୁ କେତେ ସହାୟତା ପ୍ରଦାନ କରାଯାଇଛି ଏହି ପ୍ରଶ୍ନରେ ଉତ୍ତର ରଖିଥିଲେ ରାଜସ୍ୱ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।ସେହିପରି ରାଜ୍ୟରେ ବଜ୍ରପାତର ଆଗୁଆ ସୂଚନା ଜାଣିବା ପାଇଁ ଓଏସଡିଏମଏ ତରଫରୁ ଅନ୍ତର୍ଜାତୀୟ ସଂସ୍ଥା ‘ଅର୍ଥ ନେଟୱାର୍କ’ ସହ ଏକ ଚୁକ୍ତିନାମା ସ୍ୱାକ୍ଷାର କରାଯାଇଛି । ଅର୍ଥ ନେଟୱାର୍କ ରାଜ୍ୟର ୮ ଗୋଟି ସ୍ଥାନ ଯଥା- କେନ୍ଦୁଝର, ବଲାଙ୍ଗୀର, ବ୍ରହ୍ମପୁର, ଜୟପୁର, ରାଉରକେଲା, ଭୁବନେଶ୍ୱର, କଟକ ଓ ପାଣିକୋଇଲିଠାରେ ଲାଇଟନିଂ ଡିଟେକ୍ସନ ସେନ୍ସର ବସାଯାଇଛି । ଏହି ସେନ୍ସର ମାଧ୍ୟମରେ ୨୦୦ରୁ ୨୫୦ କିମି ମଧ୍ୟରେ ବଜ୍ରପାତର ସ୍ଥାନ ଜଣାପଡିଥାଏ । ଏହାବ୍ୟତୀତ ଅର୍ଥ ନେଟୱାର୍କ ଦ୍ୱାରା ସ୍ଥାପିତ ପାରିପାର୍ଶିକ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡରେ ଥିବା ଡିଟେକ୍ସନ ସେନ୍ସର ମାଧ୍ୟମରେ ମଧ୍ୟ ରାଜ୍ୟରେ ବଜ୍ରପାତ ହେବା ସ୍ଥାନର ସୂଚନା ମିଳିପାରୁଛି ।