ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘର ଭାଙ୍ଗିଲା ପୋଲିସ୍ । ଇମ୍ରାନଙ୍କ ଘର କବାଟ ଭାଙ୍ଗି ପସିଲା ଲାହୋର ପୋଲିସ୍ ।ତୋଷଖାନ୍ନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଇମ୍ରାନଙ୍କ ଘର ଭାଙ୍ଗି ପଶିବା ବେଳେ ମୁହାଁମୁହିଁ ହେଲେ ପୋଲିସ୍ ଓ ଇମ୍ରାନଙ୍କ ସମର୍ଥକ । ବର୍ତ୍ତମାନ ଇମ୍ରାନଙ୍କ ଲାହୋରସ୍ଥିତ ଘର ବାହାରେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି କି, ଇମ୍ରାନଙ୍କ ଜମାନ ପାର୍କସ୍ଥିତ ଘର ଛାତ ଉପରୁ ପୋଲିସ ଉପରକୁ ଗୁଳିଚାଳନା କରାଯାଇଥିଲା। ତେବେ ଇମ୍ରାନ ଖାନ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ତାଙ୍କର ଲାହୋରସ୍ଥିତ ଘରେ ପୋଲିସ ପହଞ୍ଚି କବାଟ ଭାଙ୍ଗି ଘରେ ପଶିଥିଲା ।
ଇମ୍ରାନ ଖାନ ୨୦୧୮ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିବା ସମୟରେ ସେ ଆରବ ଦେଶ ଗସ୍ତ କରିଥିବା ବେଳେ ତାଙ୍କୁ ଯେଉଁ ଦାମୀ ପୁରସ୍କାର ମିଳିଥିଲା ଏବଂ ୟୁରୋପୀୟ ଦେଶର ଅନେକ ରାଷ୍ଟ୍ରମୁଖ୍ୟ ମଧ୍ୟ ଇମ୍ରାନ ଖାନଙ୍କୁ ଯେଉଁ ଦାମୀ ଉପହାର ଦେଇଥିଲେ, ଇମ୍ରାନ ଖାନ୍ ସେ ସବୁକୁ ତୋଷଖାନାରେ ଜମା କରିଥିଲେ । କିନ୍ତୁ କିଛିଦିନ ପରେ ଇମ୍ରାନ ଖାନ୍ ତୋଷଖାନାରୁ ଏହି ଉପହାରଗୁଡିକୁ ଶସ୍ତା ଦାମରେ କିଣି ତାକୁ ପୁଣି ଉଚ୍ଚା ଦାମରେ ବିକ୍ରି କରିଦେଇଥିଲେ । ଯାହାକୁ ନେଇ ବିବାଦରେ ଛନ୍ଦି ହୋଇଯାଇଥିଲେ ଇମ୍ରାନ୍ ଖାନ୍ ।
ସେପଟେ ଇମ୍ରାନ ଆଜି ଇସଲାମାବାଦର କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ତାଙ୍କ କାରକେଡକୁ କୋର୍ଟ ଯିବା ପୂର୍ବରୁ ଇସଲାମାବାଦର ଟୋଲ ପ୍ଲାଜା ନିକଟରେ ଅଟକାଇ ଦିଆଯାଇଥିଲା। ଲାହୋରରୁ ଇସଲାମାବାଦ ଗସ୍ତ ସମୟରେ ଗୋଟିଏ ସୁରକ୍ଷା ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କିନ୍ତୁ ଇମ୍ରାନଙ୍କ କାର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା । ତେବେ ଇସଲାମାବାଦ ଯାଉଥିବା ବେଳେ ଇମ୍ରାନ ଖାନ ଏକ ଭିଡିଓ ମଧ୍ୟ ଜାରି କରିଥିଲେ। ସେ ଏହି ଭିଡିଓରେ କହିଛନ୍ତି, “ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ମୋତେ ପ୍ଲାନ୍ କରି ଗିରଫ କରାଯାଉଛି । ମୋର ଗିରଫଦାରୀ ‘ଲଣ୍ଡନ ପ୍ଲାନ’ର ଅଂଶ। ମତେ ଗିରଫ କରିବାକୁ ନୱାଜ ସରିଫ ଡିମାଣ୍ଡ କରିଛନ୍ତି, କାରଣ ଇଲେକ୍ସନରେ ଯେପରି ମୁଁ ଭାଗ ନେଇ ପାରିବିନି । ଆକ୍ସିଡେଣ୍ଟ ଯୋଗୁ ମୁଁ ଏଯାଏ ଅଦାଲତରେ ପହଞ୍ଚି ପାରିନାହିଁ । ମୁଁ ଜାଣିଛି ଇସଲାମାବାଦ ପହଞ୍ଚିବା ପରେ ମତେ ଗିରଫ କରାଯିବ, ତଥାପି ମୁଁ ଅଦାଲତ ଯାଉଛି । କାରଣ ମୁଁ ଆଇନକୁ ସମ୍ମାନ କରେ ।