ଦଇବ ସାଧିଲା ଦାଉ; ବିବାହକୁ ୫ ଦିନ ନ ବିତୁଣୁ ଆଖି ବୁଜିଲେ ସ୍ୱାମୀ

କେନ୍ଦୁଝର : ହୋମ ନିଆଁକୁ ସାକ୍ଷୀ ରଖି, ପାଦରେ ଅଳତା ମଥାରେ ସିନ୍ଦୂର ପିନ୍ଧି ସ୍ୱାମୀର ହାତ ଧରି ଶାଶୁ ଘରକୁ ଆସିଥିଲା । ସଂସାର ଗଢିବାର ଆଖିରେ ଆଖିଏ ସ୍ୱପ ଆଉ ମନରେ ଅନେକ ଆଶା ନେଇ ନବ ବଧୂ ସାଜି ଆସିଥିଲେ । କିନ୍ତୁ ସଂସାର ଗଢିବା ପୂର୍ବରୁ ହିଁ ଭାଙ୍ଗିଗଲା । ପାଦରୁ ଅଳତା ଛାଡିନି, ମଥାରୁ ସିନ୍ଦୂର ଲିଭିଗଲା । ବାହାଘରର ଦିନ କେଇଟା ବିତିନି ନିଜ ସ୍ୱାମୀକୁ ହରାଇଲା ନବବଧୂ । ସତେ ଯେମିତି ଦଇବ ଦାଉ ସାଧିଲା , ବିବାହର ମାତ୍ର ୫ ଦିନ ନ ବିତୁଣୁ ସ୍ୱାମୀ ଚାଲିଗଲେ ଆରପାରିକୁ ।
ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନସ୍ଥ କାଳିମାଟି ଗାଁରେ । ମୃତ ଯୁବକ ଜଣକ ହେଲେ କାଳିମାଟି ଗାଁର ନିର୍ମଳ ସାହୁ । ଗତ ୧୦ ତାରିଖରେ ନିର୍ମଳଙ୍କର ବିବାହ ହୋଇଥିଲା, କିନ୍ତୁ ଆଜି ତାଙ୍କ ମୃତ ଦେହ ପାଖ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନାନୁସାରେ,ଗତକାଲି ସକାଳେ ନିର୍ମଳ ପିଆଜ ଆଣିବା ପାଇଁ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି ପରେ ନିର୍ମଳଙ୍କୁ ନପାଇବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ସକାଳେ ଗ୍ରାମବାସୀ ଜଙ୍ଗଲକୁ ମହୁଲ ଆଣିବା ପାଇଁ ଯାଇଥିବା ସମୟରେ ନିର୍ମଳଙ୍କ ମୃତଦେହ ଦେଖିଥିଲେ । ନିର୍ମଳ ନିଜ ଲୁଙ୍ଗିକୁ ବେକରେ ବାନ୍ଧି ଏକ ଗଛରେ ଝୁଲି ପଡିଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିର୍ମଳଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛଦ ପାଇଁ ପଠାଇଛି । ଅନ୍ୟପଟେ ନିର୍ମଳ କେଉଁ କାରଣରୁ ବିବାହର ମାତ୍ର ୫ ଦିନ ପରେ ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ କୌଣସି ସୂଚନା ମିଳି ପାରିନାହିଁ ।