ଭୁବନେଶ୍ୱର: ହସ୍ପିଟାଲରେ ଶଯ୍ୟା ଅଭାବରୁ ରୋଗୀଙ୍କ ଦୁର୍ଦ୍ଦଶା ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୋହନ ମାଝୀ। ମନ୍ତ୍ରୀ ଦେଇଥିବା ଉତ୍ତରକୁ ହାସ୍ୟାସ୍ପଦ ସହ ଅସତ୍ୟ ଵୋଲି କହିଲେ ମୋହନ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଶଯ୍ୟା ଅନୁପାତରେ ରୋଗୀ ସଂଖ୍ୟା ବଢିଲେ, ଅସ୍ଥାୟୀ ଶଯ୍ୟା ଯୋଗାଇ ଦିଆଯାଏ. କୌଣସି ରୋଗୀକୁ ଶଯ୍ୟା ଅଭାବରୁ ଫେରା ଯାଏ ନାହିଁ। ନିର୍ମଳ ଯୋଜନାରେ ହସ୍ପିଟାଲ ପରିସର ପରିଷ୍କାର କରାଯାଉଛି. ୨୦୧୭-୧୮ ମସିହାରେ ୧୭୧୩୦ ଶଯ୍ୟା ଥିଲା ଯାହା ୨୦୨୨-୨୩ ରେ ୨୫୬୩୬ କୁ ବୃଦ୍ଧି କରାଯାଇଛି। ସେହିପରି ସମ୍ୱନ୍ୱିତ ସ୍ୱାସ୍ଥ୍ୟ ବିକାଶ ନୀତିରେ ଅଧିକ ୨୧,୩୪୨ ଶଯ୍ୟା ବୃଦ୍ଧି କରାଯିବ। ଗୃହରେ ଏହି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।ବର୍ତମାନ ରାଜ୍ୟରେ ପ୍ରତି ହଜାର ରୋଗୀରେ ୦.୭% ଶଯ୍ୟା ଅଛି। IPHS ନିୟମ ଅନୁସାରେ ହଜାରେ ରୋଗୀରେ ଶଯ୍ୟା ସଂଖ୍ୟା ୧% ରହିବା କଥା। ଯାହାକୁ ହାସଲ କରିବା ଦିଗରେ ରାଜ୍ୟ ସରକାର କାମ ଚଳାଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ଦୁଇଟି ପର୍ୟ୍ୟାୟରେ ୫ହଜାର ଡାକ୍ତର ନିଯୁକ୍ତି କରିବେ ରାଜ୍ୟ ସରକାର। ସେଥିରୁ ପ୍ରାଥମିକତା ଦୃଷ୍ଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରକୁ ଡାକ୍ତର ଦିଆଯିବ ବୋଲି ଗୃହରେ ଘୋଷଣା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।