୪୭୦୩କୋଟି ମୂଲ୍ୟର ୨୫୯ଟି ପ୍ରକଳ୍ପ ଓ ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିକାଶମୂଳକ କାମ ପାଇଁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୭୦୩କୋଟି ମୂଲ୍ୟର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁଝରରେ ଉନ୍ନତି ମୂଳକ କାର୍ଯ୍ୟ ହେବ । ସେଥିପାଇଁ ନବୀନ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ୧୪୩୭୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୩୭୮ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ୧ଲକ୍ଷ ୫୮ ହଜାର ୬୫୫ ଜଣ ମହିଳା ସ୍ୱାବଲମ୍ବୀ ହେବା ଦିଗରେ ଆଗକୁ ବଢିବେ । ଏବଂ ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି । ୨୦୧୬ ମସିହାରେ ମେଡିକାଲ କଲେଜର ଶିଳାନ୍ୟାସ କରିଥିଲେ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଧରଣୀଧର କଲେଜରେ ୨୫ଟି ବ୍ଲକ ଓ ୧୮ଟି କୋଠା ନିର୍ମାଣ କରାଯାଇଛି । ଏଥିରେ ପ୍ରଥମ ବର୍ଷରେ ୧୦୦ଟି ଗଈଈଝ ସିଟରେ ଆଡମିଶନ ହୋଇଛି । ଖୁବଶୀଘ୍ର ସମସ୍ତ ବିଭାଗ କାର୍ୟ୍ୟକ୍ଷମ ହେବା ସହିତ,ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ମିଳିପାରିବ ଉନ୍ନତମାନର ସ୍ବାସ୍ଥ୍ୟସେବା ।

ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ କରିଛନ୍ତି । ହଜାର ହଜାର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଆନନ୍ଦ ଉଲ୍ଲାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହା ଉଦ୍ଘାଟନ କରି ଯେତେବେଳେ ପଚାରିଲେ ‘ଆପଣମାନେ ଖୁସି ତ ? ସେତେବେଳେ ବହୁଗୁଣିତ ଉତ୍ସାହର ସହ ପ୍ରତିଧ୍ବନିତ ହୋଇଥିଲା ହଁ । ତା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ବି ବହୁତ ଖୁସି । ଏହାପରେ ଧରଣୀଧର କଲେଜକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ସ୍ବୟଂ ଏହି ମାନ୍ୟତା ପତ୍ର ପିଲାମାନଙ୍କୁ ଦେବାକୁ ଚାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ। ଆନନ୍ଦ, ଉଲ୍ଲାସ ମଧ୍ୟରେ ଛାତ୍ରଛ୍ରତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାର ନିର୍ଦ୍ଦେଶନାମା ଦେଖାଇଥିଲେ । କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହାଦ୍ବାରା ଡାକ୍ତର ଅଭାବ ଦୂର ହେବା ସହିତ ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ ଏବଂ ଜିଲ୍ଲାବାସୀ ଆଉ କଟକ-ଭୁବନେଶ୍ବର ଯାଇ ହଇରାଣ ହେବାକୁ ପଡିବ ନାହିଁ ବୋଲି ସେ କହିଥିଲେ । ସବୁ ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୀତିରେ ରାଜ୍ୟର ସ୍ବାସ୍ଥ୍ୟସେବାର ବିକାଶ କରାଯାଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ୮ ଲକ୍ଷ ୩୦ ହଜାର ୭୭୩ ଲୋକ ଉପକୃତ ହୋଇଥିବା ବେଳେ ଏଥିପାଇଁ ୧୮୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । କେବଳ କେନ୍ଦୁଝରରେ ୨୪ ହଜାର ଲୋକ ଉପକାର ପାଇଛନ୍ତି ଏବଂ ୪୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ପାଇଁ ୪୭୦୩ କୋଟି ଟଙ୍କାର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୧୦୩ କୋଟି ଟଙ୍କାର ୧୩୮ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ଦିଆଯାଇଥିବା ବେଳେ, ୮୬୮ କୋଟି ଟଙ୍କାର ୯୮ଟି ପ୍ରକଳ୍ପ ଉଦ୍ଘାଟନ କରାଯାଇଥିଲା ଏବଂ ୨୭୩୧ କୋଟି ଟଙ୍କାର ୨୩ଟି ନୂଆ ପ୍ରକଳ୍ପ ପାଇଁ ଘୋଷଣା ରହିଛି ।

ଜିଲ୍ଲାରେ ୧୪,୩୭୨ ମିଶନ ଶକ୍ତି ଗୋଷ୍ଠୀ ଜରିଆରେ ୧.୬୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩୭୮ କୋଟି ଟଙ୍କାର ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି । ବାଂଶପାଳର ବଣପୁଷ୍ପ ସ୍ବୟଂ ସହାୟକ ଗୋଷ୍ଠୀକୁ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଟଙ୍କାର ଋଣ ଚେକ୍ ଆକାରରେ ପ୍ରଦାନ କରିଥିଲେ ଏବଂ ଘଷିପୁରାର ବିଜୟା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୫,୭୫୭ ଟଙ୍କାର ସୁଧ ରିହାତି ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା ମାନେ ରାଜ୍ୟର ସୁନାମ ବୃଦ୍ଧି କରିଛନ୍ତି । ସେମାନଙ୍କୁ ଉଦ୍ୟୋଗୀ କରିବା ମୋର ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ଯେ ଏହି ଅର୍ଥରେ ସେମାନେ ଭଲ ବିଜିନେସ୍ କରି ନିଜର, ନିଜ ପରିବାରର ଓ ନିଜ ଅଞ୍ଚଳର ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ, ମହିଳା ଓ ଯୁବସମାଜ ଆମ ରାଜ୍ୟର ତ୍ରିଶକ୍ତି । ଏମାନେ ହିଁ ଆମ ରାଜ୍ୟର ପ୍ରଗତୀର ସାରଥୀ ଏବଂ ଏକ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବାରେ ଏହି ତ୍ରିଶକ୍ତି ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆ ମେଡିକାଲ କଲେଜର ଅଡିଟୋରିଅମରେ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅର୍ଥ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନିରଞ୍ଚନ ପୂଜାରୀ, କେନ୍ଦୁଝର ସାଂସଦ ଶ୍ରୀମତୀ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ଶ୍ରୀ ବଦ୍ରୀ ନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ଶ୍ରୀ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥୀ ସେଠୀ ଓ ତେଲକୋଇ ବିଧାୟକ ଶ୍ରୀ ପ୍ରେମାନନ୍ଦ ନାଏକ, ଚମ୍ପୁଆ ବିଧାୟକ ଶ୍ରୀମତୀ ମିନାକ୍ଷୀ ମହନ୍ତ, କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ ।