ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଶନିବାର ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦିଲ୍ଲୀ ଫେରିବା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାକ୍ଷାତ କରିଥିଲେ। ଏହି ଦୁଇ ଦିନିଆ ଗସ୍ତରେ ଆସି ରାଷ୍ଟ୍ରପତି ଟ୍ୱିନ ସିଟିରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଯାଇ ମହାଦେବକୁ ଦର୍ଶନ କରିଥିଲେ । ଏଥିସହ କଟକ ସ୍ଥିତ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନଆରଆରଆଇ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ) ରେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିଥିଲେ । କଟକଠାରେ ଆୟୋଜିତ ଏନଆରଆରଆଇ କଂଗ୍ରେସରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି- ଭାରତର ଅର୍ଥନୀତିରେ ଧାନ ସର୍ବଦା ପ୍ରମୁଖ ଭୂମିକା ନେଇଛି । ଆମ ଐତିହ୍ୟ ଓ ସଂସ୍କୃତିରେ ବି ପ୍ରତିଫଳିତ ହୋଇଆସିଛି ଧାନ । ବେଦ ସମେତ ଅନ୍ୟାନ୍ୟ ଧର୍ମଶାସ୍ତ୍ରରେ ଧାନ ବିଷୟରେ ଉଲ୍ଲେଖ ରହିଛି । ସମୃଦ୍ଧିର ପ୍ରତୀକ ହେଉଛି ଧାନ । ସର୍ବବୃହତ ଶସ୍ୟ ରପ୍ତାନୀକାରୀ ରାଷ୍ଟ୍ର ଭାବେ ଭାରତ ପରିଗଣିତ ହୋଇଛି ଏବଂ ବିଶ୍ବର ବିଭିନ୍ନ ଦେଶକୁ ଶସ୍ୟ ରପ୍ତାନୀ କରିଆସୁଛି । ଶୁକ୍ରବାର ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ‘ଜ୍ଞାନପ୍ରଭା ମିଶନ ଫାଉଣ୍ଡେସନ ଡେ’ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ।