ରାଜଧାନୀରେ ଆଉ ୨ଟି ରୁଟ୍‌‌ରେ ‘ମୋ ବସ୍‌‌’ ସେବା ଯୋଗାଇବ କ୍ରୁଟ

ଭୁବନେଶ୍ୱର: ରାଜଧାନୀରେ ଆଉ ୨ଟି ରୁଟ୍‌‌ରେ ‘ମୋ ବସ୍‌‌’ ସେବା ଯୋଗାଇବ କ୍ରୁଟ। ବରମୁଣ୍ଡା ବସ୍‌‌ଷ୍ଟାଣ୍ଡରୁ ଟାଙ୍ଗି ଓ ନନ୍ଦନକାନ ଆଦି ୨ଟି ରୁଟ୍‌‌ରେ ଆଜିଠାରୁ ବସ୍‌‌ ସେବା ଆରମ୍ଭ ହେବାକୁ ଯାଉଛି । ଏହି ମୋ ବସ୍ ଗଡିବା ଦ୍ୱାରା ଜନସାଧାରଣ କମ ପଇସାରେ ଯାତାୟତ କରିପାରୁଛନ୍ତି । କାରଣ ଅଟୋର ଦୁଇଗୁଣା ପଇସା ଦେଇ ଯିବାଆସିବା କରିବାକୁ ପଡିଥାଏ । କିନ୍ତୁ ମୋ ବସ୍ ଚଳାଚଳ ପରେ ଜନସାଧାରଣଙ୍କୁ ଟିକେ ଆଶ୍ୱସ୍ତି ମିଳିଛି । ତେବେ ଭୁବନେଶ୍ୱରର ଅନେକ ରୁଟରେ ମୋ ବସ ଚାଲୁନଥିଲା । ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

 

ତେବେ ବିଭିନ୍ନ ଆଡୁ ଦାବି ମଧ୍ୟ କରାଯାଉଥିଲା ମୋ ଚଳାଚଳ ପାଇଁ । ତେବେ ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଆଉ ଦୁଇ ଦୁଇଟି ରୁଟରେ ଗଡିବ ମୋ ବସ୍ ।  ରୁଟ୍‌‌ ୪୧ରେ ବରମୁଣ୍ଡା ବସ୍‌‌ଷ୍ଟାଣ୍ଡରୁ ଟାଙ୍ଗି ପର୍ୟ୍ୟନ୍ତ ବସ୍‌‌ ଗଡ଼ିବ। ଏହି ରୁଟ୍‌‌ରେ ବସ୍‌‌ ଏନ୍‌‌ଏଚ୍‌‌ ହୋଇ ଲିଙ୍କ ରୋଡ୍‌‌ ଓ ବାଦାମବାଡ଼ି ଦେଇ ବସ୍‌‌ ଟାଙ୍ଗିରେ ପହଞ୍ଚିବ। ସେହିପରି ରୁଟ୍‌‌ ୪୨ରେ ବରମୁଣ୍ଡାରୁ ବସ୍‌‌ ବାହାରି ଚନ୍ଦକା ହୋଇ ବସ୍‌‌ ନନ୍ଦନକାନନ ପର୍ୟ୍ୟନ୍ତ ଯିବ। ନାଗରିକଙ୍କ ଦୈନନ୍ଦିନ ଗମନାଗମନକୁ ଦୃଷ୍ଟିରେ ରଖି ‘ମୋ ବସ୍‌‌’ ପରିଚାଳନା ସଂସ୍ଥା କ୍ରୁଟ୍‌‌ ଏହି ନିଷ୍ପତ୍ତି ନେଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଏବେ ସହରରେ ୩୫ଟି ଇ-ବସ୍‌‌ ଗଡ଼ୁଛି। ଯାହା ସହରର ବିଭିନ୍ନ ରୁଟ୍‌‌ରେ ଚଳାଚଳ କରୁଛି। ଘଟଣା ସମ୍ପର୍କରେ ସୂଚନା ଦେଇ କ୍ରୁଟ୍‌‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ଏହି ରୁଟ୍‌‌ରେ ‘ମୋ ବସ୍‌‌’ ଚଳାଚଳର ଶୁଭାରମ୍ଭ କରିବା ଲାଗି ବହୁ ସଂଖ୍ୟକ ଅନୁରୋଧ ରହିଥିଲା। ଯାତ୍ରୀଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଏହି ନୂଆ ରୁଟ୍‌‌ ଆରମ୍ଭ ହୋଇଛି।