ଲୋମଟାଙ୍କୁରା ଦୁର୍ଘଟଣା: ୪ ଜଣ ଛାତ୍ରୀଙ୍କୁ ପଛପଟୁ ଧକ୍କା ଦେଲା କାର୍

ଗଞ୍ଜାମ /ରଜନୀକାନ୍ତ ପାତ୍ର: ସିସିଟିଭି କ୍ୟାମେରାରେ କଏଦ ଦୁର୍ଘଟଣାର ଲାଇଭ୍ ଦୃଶ୍ୟ । ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକରେ ଦ୍ରୁତ ଗତିରେ ଏକ କାର ରାସ୍ତାରେ ଯାଉଥିବା ୩ ଜଣ ଛାତ୍ରୀଙ୍କୁ ଧକ୍କା ଦେଇ ପାଖ ଦୋକାନକୁ ପଶିଯାଇଛି । ସୌଭାଗ୍ୟକୁ ଅଳ୍ପକେ ବର୍ତି ଯାଇଛନ୍ତି ତିନି ଜଣ ଛାତ୍ରୀ । ବ୍ରହ୍ମପୁର-ପୁରୁଷୋତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକରେ ୪ଜଣ କଲେଜ ଛାତ୍ରୀ ସାଇକେଲ ଧରି ଚାଲି ଚାଲି ଯାଉଥିଲେ । ଏହି ସମୟରେ ପଛପଟୁ ଏକ କାର ଦ୍ରୁତ ଗତିରେ ଆସି ୪ ଛାତ୍ରୀଙ୍କୁ ଧକ୍କା ଦେଇ ରାସ୍ତାକଡର ଦୋକାନରେ ପଶି ଯାଇଥିଲା । କାର ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଛାତ୍ରୀମାନେ କାର ଉପରକୁ ଛିଟିକି ଯାଇ ତଳେ ପଡିଥିଲେ । କାର ଧକ୍କାର ଆହତ ତିନି ଛାତ୍ରୀଙ୍କୁ ଉପସ୍ଥିତ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଖବର ପାଇ ପୁରୁଷୋତମପୁର ପୁଲିସ ଘଟଣାସ୍ଥଳରେ ପହଂଚି ଗାଡି ଜବତ କରିବା ସହ ତଦନ୍ତ ଚଲାଇଛି ।