ଶ୍ରଦ୍ଧାଙ୍କ ହତ୍ୟା କରିବା ପରେ ଅନେକ ଯୁବତୀଙ୍କୁ ରୁମକୁ ଡାକୁଥିଲା ଅଫତାବ

ନୂଆଦିଲ୍ଲୀ : ଯେତିକି ଭୟାନକ, ସେତିକି ବିଭତ୍ସ ଆଉ ହୃଦୟଥରା ଏ ପ୍ରେମ କାହାଣୀ । ପ୍ରେମକୁ ନେଇ ଜଣେ ଏମିତି ଜୀବନ୍ତ ଭାବେ ଅଭିନୟ କରିପାରେ ଆଉ ଏତେ ନିଷ୍ଠୁର ଭାବେ ପ୍ରେମକୁ ହତ୍ୟା କରିପାରେ ତାହା ସତରେ ଅବିଶ୍ୱସନୀୟ । ଦିଲ୍ଲୀରେ ପ୍ରେମିକାକୁ ହତ୍ୟା ପରେ ୩୫ ଖଣ୍ଡ କରି କାଟି ପକାଇଲା ପ୍ରେମିକ । ଆଉ ଏବେ ସେ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଅଭିଯୁକ୍ତ ଆଫତାବ୍ ଧରାପଡିବା ପରେ ତାକୁ ବିଭିନ୍ନ ସ୍ଥାନକୁ ନେଇ ଫିଙ୍ଗାଯାଇଥିବା ଶରୀରର ଅବଶେଷକୁ ଏକାଠି କରୁଛି ପୋଲିସ । ଜେରା ସମୟରେ ଆଫତାବ୍ ପ୍ରେମିକା ଶ୍ରଦ୍ଧାକୁ କିପରି , କେବେ ଓ କାହିଁକି ହତ୍ୟା କରିଛି ସବୁ ମାନିଛି । ଆଉ ଇଂରାଜୀରେ ନିଜ ଦୋଷ ସ୍ୱୀକାର କରି କହିଛି, ‘Yes I killed her’ । କେବଳ ଏତିକି ନୁହେଁ ଶ୍ରଧାକୁ ମାରିବା ପରେ ସେ ଅନେକ ଗାର୍ଲଫ୍ରେଣ୍ଡ ବନାଇ ସେହି ରୁମକୁ ନେବା କଥା ବି ସେ ପୋଲିସ ଆଗରେ ମାନିଛି । ତେବେ ସାମ୍ବାଦିକ ହେବାକୁ ଇଛା କରିଥିଲେ ଶ୍ରଦ୍ଧା । କିନ୍ତୁ ଭାଗ୍ୟର ବିଡମ୍ବନା ସାମ୍ବାଦିକ ହେବାକୁ ଚାହୁଁଥିବା ଶ୍ରଦ୍ଧା ଆଜି ସବୁ ମିଡିଆର ମୁଖ୍ୟ ସମ୍ବାଦ ବନି ଯାଇଛନ୍ତି ।

ଆମେ ସେହି ଭୟନାକ ହତ୍ୟାକାଣ୍ଡର କଥା କହୁଛୁ ଯେଉଁଠି ଅଫତାବ ଅମୀନ ନିଜ ଲିଭ-ଇନ୍ ପାର୍ଟନର ତଥା ପ୍ରେମିକା ଶ୍ରଦ୍ଧାକୁ ହତ୍ୟା କରିବା ପରେ ୩୫ ଖଣ୍ଡ କରି କାଟିଥିଲା ଆଉ ନିଃଶବ୍ଦ ରାତିରେ ଫିଙ୍ଗୁଥିଲା । ଏ ରାକ୍ଷସ ପ୍ରେମିକକୁ ପୋଲିସ ଗିରଫ କରିଛି ଆଉ ସେ ମଧ୍ୟ ନିଜ ଭୁଲକୁ ସ୍ୱୀକାର କରିଛି । ଶ୍ରଦ୍ଧା ସହ କଲେଜରେ ପଢୁଥିବା ଜଣେ ସାଙ୍ଗ ରଜତ ଶୁକ୍ଳାଙ୍କ କହିବା ଅନୁଯାୟୀ ଅଫତାବଙ୍କ ସହ ସଂପର୍କରେ ଆସିବା ପରେ ଶ୍ରଦ୍ଧା ବଦଳି ଯାଇଥିଲା । ଶ୍ରଦ୍ଧା ମୋ ସହ ଏକାଠି ପଢୁଥିଲା । ସାମ୍ବାଦିକା ହେବା ପାଇଁ ତାର ଭାରି ଇଚ୍ଛା ଥିଲା । ସେ ଖୁବ ସ୍ମାର୍ଟ ଏବଂ ଆକ୍ଟିଭ ଝିଅ ।

୨୦୧୮ରେ ଅଫତାବ ତା ଜୀବନରେ ଆସିବା ପରେ ଶ୍ରଦ୍ଧା ବଦଳିବା ଆରମ୍ଭ କରିଥିଲା ଯାହା ଚିନ୍ତାଜନକ ଥିଲା । ତା ଚେହେରାରେ ପୂର୍ବର ସେ ଚମକ ହଜି ଯାଇଥିଲା । ୨୦୧୯ରେ ଅଫତାବ ଠିକଠାକ ଲାଗୁଥିଲା । ପରେ ଜଣାପଡ଼ିଲା, କାମକୁ ନେଇ ଉଭୟେ ଦିଲ୍ଲୀ ସିଫ୍ଟ ହୋଇ ଯାଇଛନ୍ତି । ଯେମିତି ଭାବେ ତାଙ୍କୁ ହତ୍ୟା କରାଗଲା ତାହା ଭାବିଲେ ହୃଦୟ ଥରି ଯାଉଛି । ଏହା ଏକ ଭୟଙ୍କର ଷଡ଼ଯନ୍ତ୍ର । କୌଣସି ପ୍ରେମ କାହାଣୀର ଅନ୍ତ ଏପରି ହୋଇ ନ ପାରେ ବୋଲି କହିଛନ୍ତି ଶ୍ରଦ୍ଧାଙ୍କ ବନ୍ଧୁ ରଜତ ।

୨୬ ବର୍ଷର ଶ୍ରଦ୍ଧା ତାଙ୍କ ପରିବାର ସହ ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ରୁହନ୍ତି । ଶ୍ରଦ୍ଧା ଏକ ମଲ୍ଟି ନାଶନାଲ କମ୍ପାନୀର କଲ୍‌ ସେଣ୍ଟରରେ କାମ କରିବା ସମୟରେ ଅଫତାବଙ୍କ ସହ ତାଙ୍କର ଭେଟ ହୁଏ । ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢୁଥିବା ଦେଖି ପରିବାର ଲୋକେ ବିରୋଧ କରିଥିଲେ । ହେଲେ ଶ୍ରଦ୍ଧା ବାପା-ମା’ଙ୍କ ଉପରେ ରାଗି ଘର ଛାଡ଼ି ଦେଇଥିଲେ ଏବଂ ଅଫତାବଙ୍କ ସହ ଳିଭଇନରେ ରହିଲେ । ହେଲେ ହଠାତ ଦିନେ ଶ୍ରଦ୍ଧା-ଅଫତାବ ମୁମ୍ବାଇ ଛାଡ଼ି ଦିଲ୍ଲୀ ଚାଲି ଆସିଥିଲେ । କିଛି ଦିନ ପରେ ଶ୍ରଦ୍ଧାଙ୍କ ଫୋନ ନମ୍ବର ବନ୍ଦ ହୋଇଗଲା ।

ଶ୍ରଦ୍ଧାଙ୍କ ବାପାଙ୍କ କହିବା ଅନୁଯାୟୀ, ସେ ନଭେମ୍ବର ୮ ତାରିଖ ଦିନ ଯେତେବେଳେ ଛତରପୁର ସ୍ଥିତ ଶ୍ରଦ୍ଧାଙ୍କ ବାସଭବନରେ ପହଞ୍ଚିଲେ ସେଠି କବାଟରେ ତାଲା ପଡ଼ିଥିବା ଦେଖିଲେ । ସେ ମହରୋଲି ଥାନାରେ ପହଞ୍ଚି ଏଫଆଇଆର ଦାଏର କରିଥିଲେ । ଶନିବାର ପୋଲିସ ଅଫତାବଙ୍କୁ ନେଇ ଜେରା କରିଥିଲା । ପରେ ସବୁ ଖବର ସାମ୍ନାକୁ ଆସିଲା ।

ଶ୍ରଦ୍ଧାକୁ ହତ୍ୟା କରି ପ୍ରଥମେ ବାଥରୁମରେ ରଖିଥିଲା ଆଫତାବ୍ । ଏହାପରେ ୟୁଟ୍ୟୁବରେ ଏହାକୁ ଠିକଣା ଲଗାଇବାର ଉପାୟ ଖୋଜି ବାହାର କରିଥିଲା । ତା’ପରଦିନ ଇଲେକ୍ଟ୍ରିକ୍ ଆରି କିଣି ଆଣିି ସେଥିରେ ଶ୍ରଦ୍ଧାର ମୃତ ଶରୀରକୁ ୩୫ ଖଣ୍ଡ କରି କାଟିଥିଲା । କଟା ଖଣ୍ଡକୁ ଫ୍ରିଜ୍ , କପବୋର୍ଡ ଆଦିରେ ଲୁଚାଇ ରଖିଥିଲା । ମୃତଦେହକୁ ଦୁଇ ଦିନ ଧରି କାଟିବା ପରେ ଏହାର ଖଣ୍ଡଗୁଡିକୁ ୩ ମାସ ଧରି ବିଭିନ୍ନ ସ୍ଥାନରେ ଫିଙ୍ଗିଦେବା କାମ କରିଥିଲା । ଅନ୍ୟପଟେ ଶ୍ରଦ୍ଧାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ନିଜେ ହ୍ୟାଣ୍ଡେଲ କରୁଥିଲା । ଯେପରି ତା’ର ସାଙ୍ଗ ମାନଙ୍କୁ ସନ୍ଦେହ ନହେବ । ତଥାପି ଶ୍ରଦ୍ଧାର ସାଙ୍ଗମାନଙ୍କ ସନ୍ଦେହ ଓ ଶ୍ରଦ୍ଧାଙ୍କ ବାପାଙ୍କ ଏଫଆଇଆର ଆଧାରରେ ଧରାପଡିଯାଇଥିଲା ଅଭିଯୁକ୍ତ ଆଫତାବ୍ ।