କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧ,ଭାରିଯାନ ଚଳାଚଳ ଠପ୍

ଅନୁଗୁଳ/ଜ୍ୟୋତିରଞ୍ଜନ ଧର :  ଦୈନିକ ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ ନମ୍ବର  ରାଜପଥରେ ତାଳଚେରରୁ ଝାରସୁଗୁଡା ଅଞ୍ଚଳକୁ ଶତାଧିକ ଭାରିଯାନ ଚଳାଚଳ କରୁଛି । ଯାହା ଫଳରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । କିଛି ମାସ ମଧ୍ୟରେ ଭାରୀଜାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟି ୫ ଜଣଙ୍କର ଜୀବନହାନୀ ହୋଇଛି । ତେବେ ଏହି ରାସ୍ତାରେ ଭାରିଯାନ ଚଳାଇବା ଉପରେ କଟକଣା ଓ ରାସ୍ତା ମରାମତି ପାଇଁ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ।

ଏହାର ପ୍ରତିବାଦରେ ସୋମବାର କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ କରା ଯାଇଛି । ଭୋରରୁ ରାସ୍ତାରେ କୋଇଲା ବୋଝେଇ ଓ ବାଲି ବୋଝେଇ ସମେତ ଅନ୍ୟାନ୍ୟ ଭାରିଯାନକୁ ଅଟକାଇ ଦିଆ ଯାଇଛି । ଅନ୍ୟ ସମସ୍ତ ଯାନବାହନ ଚଳାଚଳ ସ୍ବଭାବିକ ରହିଛି । କୋଶଳା ଗ୍ରାମର ବିଭିନ୍ନ କ୍ଲବ ଓ ଯୁବଗୋଷ୍ଠୀ ସଙ୍ଗଠନର ଶତାଧିକ ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହି ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହିଛି ।