ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀର ଅବକାରୀ ନୀତି ମାମଲାରେ ଇଡି ପକ୍ଷରୁ ଦିଲ୍ଲୀ ସମେତ ୩୫ ସ୍ଥାନରେ ଚଢାଉ କରାଯାଇଛି। ଦିଲ୍ଲୀର ଅଭିଯୁକ୍ତ ସମୀର ମହେନ୍ଦ୍ରଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢାଉ କରାଯାଇଥିଲା। ଦିଲ୍ଲୀ ସମେତ ଗୁରୁଗ୍ରାମ, ଲକ୍ଷ୍ନୌ, ହାଇଦ୍ରାବାଦ, ମୁମ୍ବାଇ ଏବଂ ବାଙ୍ଗାଲୋରରେ ମଧ୍ୟ ଚଢାଉ କରାଯାଇଛି। ଆମ ଆଦମୀ ପାର୍ଟିର ସୂଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘର କିମ୍ବା କାର୍ଯ୍ୟାଳୟରେ ଚଢାଉ କରିନାହାଁନ୍ତି। ଇଡିର ଚଉାକୁ ନେଇ ମନୀଷ ସିସୋଦିଆ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରଥମେ ସିବିଆଇ ପକ୍ଷରୁ ଚଢାଉ କରାଗଲା। ହେଲେ କୌଣସି ତଥ୍ୟ ପାଇଲେ ନାହିଁ। ବର୍ତ୍ତମାନ ଇଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି କରାଯାଇଛି। ସେଠାରୁ ମଧ୍ୟ ସେମାନେ କିଛି ପାଇବେ ନାହିଁ ବୋଲି ଶ୍ରୀ ସିସୋଦିଆ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା କରାଯାଇଥିବା ଭଲ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏହା ଏକ ପ୍ରୟାସ। ସେମାନଙ୍କୁ ସିବିଆଇ, ଇଡିକୁ ବ୍ୟବାହାର କରିବାକୁ ଦିଅନ୍ତୁ। ସେମାନେ ଆମର ଭଲ କାମକୁ ବନ୍ଦ କରିପାରିବେ ନାହିଁ। ଦିଲ୍ଲୀରେ ଆମ ଆଦମୀ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂଆ ମଦ ପଲିସି ଡ୍ରାପ୍ଟରେ ସମ୍ପୃକ୍ତ ଥିବା ଅଭିଯୋଗକାରୀଙ୍କ ସମେତ ଇଡି ମଦ କାରବାରରେ ଜଡିତ ଥିବା ଲୋକଙ୍କ ଆବାସିକ ତଥା ସରକାରୀ କାର୍ଯ୍ୟାଳୟ ପରିସରରେ ଚଢାଉ କରିଥିଲା। ଗତ ମାସରେ ସିବିଆଇ ପକ୍ଷରୁ ଆଇଏଏସ ଅଧିକାରୀ ତଥା ପୂର୍ବତନ ଅବକାରୀ କମିଶନର ଅରବା ଗୋପୀ କୃଷ୍ଣଙ୍କ ଦିଲ୍ଲୀ ବାସଭବନ ଉପରେ ଚଢାଉ କରାଯାଇଥିଲା। ଦିଲ୍ଲୀର ଅବକାରୀ ପଲିସି ୨୦୨୧-୨୦୨୨ ବିରୁଦ୍ଧରେ ଏଫଆଇର ରୁଜୁ କରିଥିଲେ। ସିବିଆଇ ପକ୍ଷରୁ ଉପମୁଖ୍ୟନ୍ତ୍ରୀ ମନୀଷ ସିସୋଦିଆ, ପୂର୍ବତନ ଅବକାରୀ କମିଶନର ଅରବା ଗୋପୀ କୃଷ୍ଣ, ପୂର୍ବତନ ଡେପୁଟି ଅବକାରୀ କମିଶନର ଆନନ୍ଦ ତିୱାରୀ, ସହକାରୀ ଅବକାରୀ କମିଶନର ପଙ୍କଜ ଭଟ୍ଟନଗରଙ୍କ ସମେତ ଦୁଇଟି ମଦ କମ୍ପାନୀ ଓ ୯ ଜଣ ମଦ ବ୍ୟବସାୟୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ।