ହିଞ୍ଜିଳି: ଆସିକା ପୁଲିସ ପକ୍ଷରୁ ଶେଷରେ ବହୁ ଚର୍ଚ୍ଚିତ ପ୍ରେମିକକୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଆସିକା ଥାନା ଅଧୀନ ନଳକଣ୍ଟା ଗ୍ରାମରେ ଦୁଇ ଦିନ ଧରି ପ୍ରେମିକଙ୍କ ଘର ସମ୍ମୁଖରେ ପ୍ରେମିକା ଜଣଙ୍କ ଧାରଣାରେ ବସିଥିଲେ। ଫଳରେ ପୁଲିସ ସୂଚନା ପାଇଁ ପ୍ରତାରକ ପ୍ରେମିକକୁ ଗିରଫ କରିଛି। ଘଟଣା ଅନୁସାରେ ସୁଦୂର ଯାଜପୁର ଜିଲ୍ଲାର ବିଞ୍ଝାପୁର ଥାନା ଆଲିକୁଣ୍ଡ ଶାସନପଡା ଗାଁର ଗୀତା ମଲି୍ଲକ ତାମିଲନାଡୁରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ ନରକଣ୍ଟା ଗ୍ରାମର ନରସିଂହ ପ୍ରଧାନ ମଧ୍ୟ ସମ୍ପୃକ୍ତ କମ୍ପାନୀରେ କାର୍ଯ୍ୟ କରୁଥିଲେ। କମ୍ପାନୀରେ କାର୍ଯ୍ୟ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ନରସିଂହ ଗୀତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ୩ ଲକ୍ଷ ଟଙ୍କା ଧାର ଆଣିଥିଲେ। ଭଉଣୀ ବାହାଘର ପରେ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଚତୁର ନରସିଂହ ଗୀତାଙ୍କୁ ପ୍ରତାରଣା କରିଥିଲେ। ଶେଷରେ ପ୍ରେମିକା ଗୀତ କୌଣସି ଉପାୟ ନପାଇ ନରସିଂହଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ ସ୍ଥାନୀୟ ପୁଲିସ, ସାମ୍ବାଦିକ ସଂଘ, ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଗୀତାଙ୍କୁ ଉଦ୍ଧାର କରିବା ପରେ ତାଙ୍କର ଡାକ୍ତରୀ ମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେର୍କଡ କରାଯାଇଥିଲା। ପରେ ନରସିଂହଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆସିକା ଥାନାଧିକାରୀ ସୂଚନା ଦେଇଛନ୍ତି।