ଅନୁଗୁଳ: ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି। ଲୋକମାନଙ୍କର ସଚେତନତାର ଅଭାବ ହେଉ କିମ୍ବା ଅଜ୍ଞତା କାରଣରୁ ସାଇବର ଅପରାଧୀଙ୍କ ହାବୁଡରେ ପଡୁଛନ୍ତି। ଫଳରେ କଷ୍ଟୋର୍ପାଜିତ ଅର୍ଥକୁ ଅକାରଣରେ ହରାଉଛନ୍ତି। ଏହାଛଡା ରାଜ୍ୟର ସମସ୍ତ ସ୍ଥାନରେ ସାଇବର ଥାନା ନଥିବାରୁ ସାଇବର କ୍ରାଇମ ବଢୁଥିବା ଜଣାପଡିଛି। ଯାହା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି କ୍ରମରେ ଅନୁଗୁଳ ଜିଲ୍ଲାରେ ମଧ୍ୟ ସାଇବର ଅପରାଧୀଙ୍କ ଦୌରାତ୍ମ ଦିନକୁ ଦିନ ବୃଦ୍ଧିପାଉଛି। ମାମଲା ରୁଜ୍ଜୁ କରି ପୁଲିସ କାମ ସାରିଦେଉଥିବା ଅଭିଯୋଗ ହୋଇଛି। ଜିଲ୍ଲା ପୁଲିସ ପାଇଁ ଏହା ଚିନ୍ତା ବଢ଼ାଇଛି। ଜିଲ୍ଲାର କାହାକୁ ନା କାହାକୁ ଟାର୍ଗେଟ କରି ସାଇବର ଠକମାନେ ଲୁଟ ଚଳାଇଛନ୍ତି। ବିକ୍ରମପୁର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ପୁଣି ସାଇବର ଲୁଟେରାମାନେ ୭୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବିକ୍ରମପୁର ଷ୍ଟେଟ ବ୍ୟାଙ୍କ ଶାଖାର ଜ୍ୟୋତି ରଞ୍ଜନ ସାହୁ ( ୩୫ ) ନାମକ ଜଣେ କର୍ମଚାରୀଙ୍କ ମୋବାଇଲ ନମ୍ବରକୁ ସୋମବାର ଏକ ଅଜଣା ନମ୍ବରରୁ ଏକ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ କହିଥିଲେ ତୁମ କ୍ରେଡିଟ କାର୍ଡର ସ୍ବାସ୍ଥ୍ୟ ବୀମା ଆକ୍ଟିଭେଟ ହୋଇଯାଇଛି। ଏହାକୁ ରଖିବାକୁ ଚାହୁଁଛ ନା କାଟିବାକୁ ଚାହୁଁଛ। ଜ୍ୟୋତି ଏହାକୁ କାଟିବା ପାଇଁ କହିଥିଲେ। ଏହାପରେ ସାଇବର ଲୁଟେରା କହିବା ଅନୁସାରେ ଜ୍ୟୋତି ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରି ଦେଇଥିଲେ। ଏହାପରେ ତାଙ୍କ କ୍ରେଡିଟ କାର୍ଡରୁ ଦୁଇଟି କିସ୍ତିରେ ୭୨ ହଜାର ଟଙ୍କା ଚାଲିଯାଇଥିଲା। ଏ ନେଇ ଜ୍ୟୋତି ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଏକ ସାଇବର ଠକେଇ ମାମଲା ରୁଜ୍ଜୁ କରି ଛାନଭିନ ଚଳାଇଛି।