ଅନୁଗୁଳ: ଜନସାଧାରଣଙ୍କ ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାଂସଦ ମହେଶ ସାହୁ। ନିଜ ନିଜର ଭିଟାମାଟି ହରାଇ ଥିବା ଶହ ଶହ କ୍ଷତିଗ୍ରସ୍ତ ଜନତାଙ୍କ ସ୍ୱରରେ ସ୍ୱର ମିଶାଇ ନାଲକୋ ପ୍ଲାଣ୍ଟ ଆଗରେ ସାଂସଦ ଶ୍ରୀ ସାହୁ ଧାରଣାରେ ବସିଥିଲେ। ନାଲକୋର ମନମାନି ଓ ଟାଳଟୁଳ ନୀତିକୁ ବିରୋଧ କରି ଖୋଦ ସାଂସଦ ଶ୍ରୀ ସାହୁଙ୍କ ନେତୃତ୍ବରେ ଶତାଧିକ କ୍ଷତିଗ୍ରସ୍ତ ଲୋକ ପ୍ରତିବାଦ କରିଥିଲେ। ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଏହି ୨ ଘଣ୍ଟିଆ ପ୍ରତିବାଦ ସଭା ଓ ଶାନ୍ତିପୂର୍ଣ ଆନ୍ଦୋଳନ ଆୟୋଜିତ ହୋଇଥିଲା। ଏଥିରେ ନାଲକୋ କ୍ଷତିଗ୍ରସ୍ତ ତଥା ପାରିପାର୍ଶ୍ବିକ ଗ୍ରାମବାସୀ, ଶ୍ରମିକ ସଙ୍ଗଠନ ଓ ଜମିହରା ପ୍ରଜାମାନେ ସାମିଲ ହୋଇଥିଲେ। ବର୍ଷ ବର୍ଷ ଧରି କ୍ଷତିଗ୍ରସ୍ତ ଲୋକେ ନିଯୁକ୍ତି ଓ ଥଇଥାନ ପାଇଁ ଦାବି କରି ଆସୁଛନ୍ତି। ବହୁବାର ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ତଥା ଧାରଣାରେ ମଧ୍ୟ ବସିଛନ୍ତି। କିନ୍ତୁ ନାଲକୋ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ନେଇ ଅଭିଯୋଗ କରିଛନ୍ତି ଶତାଧିକ ଆନ୍ଦୋଳନକାରୀ। ଏପରିକି ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନଥିବା ନେଇ ଧାରଣାକାରୀ ବର୍ଷିଛନ୍ତି। ସିଏସଆର ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବିକାଶମୂଳକ କାର୍ୟ୍ୟକ୍ରମ କରିବା, ସ୍ଥାନୀୟ ଜମୀହରା ପ୍ରଜା, ଯୁବକ ଓ ଯୁବତୀଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବା , ଏଲଏପି ଆଇଟିଆଇ ଓ ଏସଏପିମାନଙ୍କୁ ସ୍ଥାୟୀ ନିଯୁକ୍ତି, କ୍ଷତିଗ୍ରସ୍ତ ତଥା ପାରିପାର୍ଶ୍ବିକ ଗ୍ରାମ ଗୁଡିକର ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଟେକନିକାଲ ଓ ଜେନେରାଲ ଶିକ୍ଷା ପ୍ରଶିକ୍ଷଣ ପାଇଁ ନାଲକୋ ନିଜସ୍ବ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବା, ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବ୍ୟାପକ ବୃକ୍ଷରୋପଣ କରାଯାଉ, ଦୁର୍ଘଟଣାରେ ଥିବା ଶ୍ରମିକମାନଙ୍କର ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ସହିତ ପରିବାରର ଜଣକୁ ମେଣ୍ଟେନାନ୍ସ ରେ ନିଯୁକ୍ତି ଦେବା ଭଳି ଦାବି କରାଯାଇଥିଲା। ଯଦି ନିର୍ଦିଷ୍ଟ ସମୟ ସୀମା ଭିତରେ ଦାବି ଗୁଡିକୁ ନାଲକୋ ପ୍ରଶାସନ ସମାଧାନ ନକରେ ତେବେ ଅନିର୍ଦିଷ୍ଟ ସମୟ ପାଇଁ ନାଲକୋକୁ ବନ୍ଦ କରାଯିବା ସହିତ ରେଳରୋକ ଓ ଅର୍ଥନୈତିକ ଅବରୋଧ ପାଇଁ ସାଂସଦ ମହେଶ ସାହୁଙ୍କ ସୂଚନା ପକ୍ଷରୁ ଦିଆଯାଇଛି।