ଦ୍ୱିତୀୟ ବିବାହ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ

ଉଭୟଙ୍କୁ ଶୁଭେଚ୍ଛା ଜଣାଇଲେ କେଜିରିୱାଲ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଦ୍ୱିତୀୟ ବିବାହ କରିଛନ୍ତି। ଶ୍ରୀମାନ ଡାକ୍ତର ଗୁରୁପ୍ରୀତ କୌରଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହି ଅବସରରେ ତାଙ୍କ ଚଣ୍ଡିଗଡ ସ୍ଥିତ ବାସଭବନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଛନ୍ତି। ଏହି ଅବସରରେ ଶ୍ରୀ ମାନଙ୍କ ବାସଭବନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତାଙ୍କ ନିଜ ବାସଭବନରେ ବିବାହ ଅନୁଷ୍ଠିତ ହେଉଥିବା ଜଣାପଡିଛି। ଶ୍ରୀ ମାନ ତାଙ୍କର ପ୍ରଥମ ପତ୍ନୀଙ୍କୁ ୨୦୧୬ରେ ଛାଡପତ୍ର ଦେଇ ସାରିଛନ୍ତି। ପୂର୍ବରୁ ଶ୍ରୀ ମାନ ପ୍ରଥମ ପତ୍ନୀ ଓ ଦୁଇଟି ପିଲାଙ୍କ ସହ ଆମେରିକାରେ ରହୁଥିଲେ। ଆମ ଆଦମୀ ପାର୍ଟି ପଞ୍ଜାବର ପ୍ରଦେଶ ଅଧ୍ୟକ୍ଷ ରାଘବ ଚନ୍ଦ୍ରା ଅନୁଷ୍ଠିତ ବିବାହର ସମସ୍ତ ଦାୟିତ୍ୱ ନିର୍ବାହବ କରୁଛନ୍ତି। ଏ ବିବାହର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ନିଜେ ବହନ କରୁଥିବା ଜଣାପଡିଛି। ଶ୍ରୀ ମାନ ୨୦୧୪ରେ ଆମ ଆଦମୀ ପାର୍ଟି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।