କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି ଚାଷୀ ଘରର ଝିଅ । କେନ୍ଦ୍ରାପଡାର ଡେରାବିଶ ବ୍ଲକ ଗୋଲାର ହାଟ ଗାଁର ମୋନାଶ୍ରୀ ବିଶ୍ୱାଳ ମାଟ୍ରିକରେ ଜିଲ୍ଲାର ଟପ୍ପର ହୋଇଛନ୍ତି । ମୋନାଶ୍ରୀଙ୍କ ସଫଳତା ପରେ ଗ୍ରାମବାସୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାପରେ ମୋନାଶ୍ରୀଙ୍କୁ ସାଙ୍ଗରେ ନେଇ ଖୋଳ କୀର୍ତନ କରି ଗାଁ ପରିକ୍ରମା କରିଥିଲେ । ମୋନାଶ୍ରୀ ମାଟ୍ରିକରେ ୯୭ ଦଶମିକ ୫୭ ପ୍ରତିଶତ ମାର୍କ ପାଇଛନ୍ତି । କେନ୍ଦ୍ରାପଡାର ଗୌରବ ସାଜିଥିବା ଗରିବ ଘରର ଝିଅ ମୋନାଶ୍ରୀ ମାଟ୍ରିକ। ପରୀକ୍ଷାରେ ମୋଟ ୬ ଶହରୁ ୫୮୫ ମାର୍କ ରଖିଛନ୍ତି । ବାପା ବିଚିତ୍ରାନନ୍ଦ ବିଶ୍ୱାଳ ଭାଗ ଚାଷୀ ହୋଇଥିବାରୁ ଝିଅ ମୋନାଶ୍ରୀଙ୍କ ଟ୍ୟୁସନ ପାଇଁ ଟଙ୍କା ଦେଇପାରୁନଥିଲେ । ଅଭାବ ଅନଟନ ଭିତରେ କଠିଣ ପରିଶ୍ରମ କରି ସଫଳତା ପାଇଛନ୍ତି । ଝିଅର ସଫଳତା ପରେ ଖୁସିରେ ଆତ୍ମହରା ହୋଇ ମା’ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି । ସେପଟେ ମୋନାଶ୍ରୀଙ୍କୁ ପାଖ ପଡୋଶୀ ଓ ସ୍କୁଲର ଶିକ୍ଷକ ଶୁଭେଚ୍ଛା ଜଣାଇବା ସହ ସଫଳ ଭବିଷ୍ୟତ କାମନା କରିଛନ୍ତି ।