ଇସଲାମାବାଦ: ପାକିସ୍ତାନରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଆର୍ଥିକ ସ୍ଥିତି ଏପରି ହୋଇଯାଇଛି ଯେ, ଆଶଂକା କରାଯାଉଛି ଆଗାମୀ ଦିନରେ ପାକିସ୍ତାନର ପରିସ୍ଥିତି ଶ୍ରୀଲଙ୍କା ଭଳି ହୋଇପାରେ। ଗତକାଲି ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା କି, ରାକିସ୍ତାନରେ ପେଟ୍ରୋଲ ଡିଜେଲ ଦର ୨୪୮ ଟଙ୍କାରେ ପହଞ୍ଚିଯାଇଛି। ଏପରିକି କରୋସିନ୍ ମୁଲ୍ୟ ବି ୨ଶହ ଟଙ୍କା ଉପରେ ରହିଛି। ଆଉ ଆଜିର ତାଜା ତଥ୍ୟ ଅନୁସାରେ, ପାକିସ୍ତାନରେ ବିଦ୍ୟୁତ୍ ସଂକଟ ଦେଖାଦେଇଛି। ଆର୍ଥିକ ସଂକଟଗ୍ରସ୍ତ ପାକିସ୍ତାନରେ ଏବେ ବିଦ୍ୟୁତ୍ ସଂକଟ ଗୁରୁତର ରୂପ ନେବାରେ ଲାଗିଛି। ଯାହାର ପ୍ରଭାବ ଏବେ ଦେଶର ସାଧାରଣ ଲୋକଙ୍କ ସହ ବାଣିଜ୍ୟ କାରବାର ଉପରେ ପଡିବାରେ ଲାଗିଲାଣି। ଗତମାସରେ ଦେଶର ନ୍ୟାସନାଲ ଆସେମ୍ବ୍ଲିରେ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାରନ କରାଯାଇଥିଲା। ଏଥିରେ ସହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରରେ ଦେଶର ଦୈନିକ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରେକର୍ଡ ସ୍ତରରେ ପହଞ୍ଚିଥିବା କୁହାଯାଉଥିଲା। ଦୈନିକ ବିଦ୍ୟୁତ୍ ଉତ୍ପାଦନ ୪୧ ହଜାର ମେଗାୱାଟକୁ ପହଞ୍ଚିଥିବାର ତଥ୍ୟ ଦିଆଯାଇଥିଲା। ତେବେ ସରକାର ଦେଶର ବିଦ୍ୟୁତ୍ ଚାହିଦା ସମ୍ପର୍କରେ କିଛି କହିନଥିଲେ। ଫଳରେ ଦେଶରେ ବିଦ୍ୟୁତ୍ ଚାହିଦା ଓ ଉତ୍ପାଦନ ପ୍ରଭେଦ ବଢି ଏବେ ୭ହଜାର ମେଗାୱାଟରେ ପହଞ୍ଚିଯାଇଛି। ଏଥିରେ ଇନ୍ଧନ ଅଭାବ ଯୋଗୁ କେତେକ ବିଦ୍ୟୁତ୍ ଉତ୍ପାଦନ ପ୍ଲାଣ୍ଟ ନିଜ କ୍ଷମତାର ଅଧା ବି ଏବେ ଉତ୍ପାଦନ କରିପାରୁନାହାନ୍ତି। ସେହିପରି କୋଇଲାରରେ ଚାଲୁଥିବା ବିଦ୍ୟୁତ୍ ପ୍ଲାଣ୍ଟ ଲାଗି ରାଜକୋଷରେ ବୈଦେଶିକ ମୁଦ୍ରାର ଅଭାବ ଏବେ ଚିନ୍ତାର କାରଣ ପାଲଟିଛି। ବିଦେଶରୁ କୋଇଲା ଆମଦାନୀ କରିବା ପାଇଁ ରାଜକୋଷରେ ବୈଦେଶିକ ମୁଦ୍ରା ନାହିଁ। କୋଇଲା ଚାଳିତ ବିଦ୍ୟୁତ୍ ପ୍ଲାଣ୍ଟ ଲାଗି ମେଣ୍ଟ ସରକାର ୧ହଜାର ବିଲିୟନ୍ ଟଙ୍କା ଜାରି କରିଛନ୍ତି। ହେଲେ ବି ବିଦ୍ୟୁତ୍ ଉତ୍ପାଦନରେ ସେପରି ସୁଧାର ଦେଖାଯାଇନି। ପାକିସ୍ତାନର ଏପରି ପରିସ୍ଥିତିକୁ ନେଇ କିଛି ବିଶେଷଜ୍ଞ କହିଛନ୍ତି, ଯଦି ଆଗକୁ ଏପରି ପରିସ୍ଥିତି ଜାରି ରୁହେ ତେବେ ଦେଶର ରାଜନୀତିରେ ବଡ ଧରଣର ପରିବର୍ତ୍ତନ ହେବା ନେଇ ଆଶଂକା କରାଯାଉଛି।