ଦ୍ରୈପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ କଂଗ୍ରେସ: ନରସିଂହ

ଓଡି଼ଆ ପ୍ରୀତି ନେଇ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ

ଭୁବନେଶ୍ୱର:ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ବୋଲି ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ ଭଲ ବିଧାୟିକା ଓ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣେ, ଆମର ସମ୍ପର୍କ ମଧ୍ୟ ଭଲ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେ ବିଜେପି ଓ ଆରଆରଏସଏସ ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହାଛଡା ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିଛି। ଜଣଙ୍କୁ ଛିଡା କରି ଅନ୍ୟ ଜଣଙ୍କୁ ସମର୍ଥନ କରିବା ଠିକ୍ କଥା ନୁହେଁ, ଏହା ବେଇମାନ ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ରାଜ୍ୟର ସମସ୍ତ ବିଧାୟକଙ୍କୁ ନିବେଦନ କରିଥିଲେ। ତେବେ ଶ୍ରୀ ମିଶ୍ର ଏହାକୁ କଟାକ୍ଷ କରିବା ସହିତ ଯଦି ମୁଖ୍ୟମନ୍ତ୍ରୀଙ୍କର ଓଡି଼ଆ ପ୍ରୀତି ଅଛି ବୋଲି କହୁଛନ୍ତି ତାହାଲେ ଜଣେ ଅଣଓଡ଼ିଆଙ୍କୁ ରାଜ୍ୟସଭା ପଠାଇଲେ କାହିଁକି ବୋଲି ପ୍ରଶ୍ନ କରିଥିଲେ। ଏଥି ସହିତ ରାଜ୍ୟରେ କଣ ଓଡି଼ଆ ପ୍ରାର୍ଥୀ ନଥିଲେ କି ବୋଲି ଶ୍ରୀ ମିଶ୍ର କହିଛନ୍ତି। ବୁଧବାର କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସ୍ୱାଗତ କରିବା ସହ ସୋନିଆ ଗାନ୍ଧୀ ଯାହା ନିଷ୍ପତ୍ତି ନେବେ ତାହା ଆମେ ମାନିବୁ ବୋଲି କହିଥିଲେ। ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ପରେ ରାଜ୍ୟ କଂଗ୍ରେସ କଣ ନିଷ୍ପତ୍ତି ନେଉଛି ସେନେଇ ଦ୍ୱନ୍ଦ୍ୱ ରହିଥିଲା। ଏହାଛଡା ଦିଲ୍ଲୀରୁ କଣ ନିଷ୍ପତି ଆସୁଛି ସେ ନେଇ ସମସ୍ତଙ୍କର ଅପେକ୍ଷା ରହିଛି।