ରାଇରଙ୍ଗପୁର(ସତ୍ୟନାରାୟଣ ପାଲ):ଓଡିଶାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରାଞ୍ଚଳର ଦ୍ରୌପଦୀ ମୁର୍ମୁ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥନୀ ଘୋଷଣା ପରେ ସମଗ୍ର ଓଡ଼ିଶା ଚଳଚଂଚଳ ହୋଇଛି । ବିଶେଷ କରି ରାଇରଙ୍ଗପୁର ଅଂଚଳରେ ଖୁସିର ଲହରୀ ଦେଖାଦେଇଛି । ଗତକାଲି ସନ୍ଧ୍ୟାରୁ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ, ବଣିକ ସଂଘର କର୍ମକର୍ତ୍ତାବୃନ୍ଦ,ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ଲୋକେ ତାଙ୍କ ମହୁଲଢିହା ବାସଭବନରେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଆଜି ସକାଳୁ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରର ଜାହିରା ପୀଠ ସ୍ଥଳ, ପୂର୍ଣ୍ଣେଶ୍ୱର ମନ୍ଦିର, ହନୁମାନ ମନ୍ଦିର , ଜଗନ୍ନାଥ ମନ୍ଦିର, ପ୍ରଜାପତି ଐଶ୍ୱରୀୟ ବିଦ୍ୟାଳୟକୁ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ଶ୍ରୀମତୀ ମୁର୍ମୁ ଜଣେ ସମାଜ ସଂସ୍କାରକ, ଅମାୟିକ,ସରଳ,ନିଷ୍କପଟ, ଧାର୍ମିକ, ପରୋପକାରୀ ,ମିଷ୍ଟଭାଷୀ, ବିଦ୍ୱାନ, ରାଜନୀତିଜ୍ଞ,ପ୍ରଶାସିକା ବ୍ୟକ୍ତିତ୍ଵ ।ଜୀବନରେ ସ୍ବାମୀ ଓ ପୁତ୍ର ସନ୍ତାନଙ୍କୁ ହରାଇ ମଧ୍ୟ କେବେହେଲେ ଭାଙ୍ଗି ପଡିନଥିଲେ ।
ଆଜି ଅଂଚଳରେ ଶିକ୍ଷାନୁଷ୍ଠାନ ନିର୍ମାଣକରି ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ କରୁଛନ୍ତି ।ସେ ଭୁବନେଶ୍ୱରରେ କନିଷ୍ଠ ସହାୟକ ପରେ ଚାକିରୀ ଛାଡ଼ି ରାଇରଙ୍ଗପୁର ଶ୍ରୀ ଅରବିନ୍ଦ ଶିକ୍ଷାନୁଷ୍ଠାନରେ ମାଗଣା ଶିକ୍ଷାଦାନ,ପରେ କାଉନସିଲର,ପରେ ଉପାଧ୍ୟକ୍ଷା,ବିଧାୟିକା, ମନ୍ତ୍ରୀ ଏବଂ ଶେଷରେ ଝାଡ଼ଖଣ୍ଡର ରାଜ୍ୟପାଳ ପଦ ଅଳଙ୍କୃତ କରିଥିଲେ ।ପ୍ରଜାପତି ଐଶ୍ୱରୀୟ ବିଶ୍ବବିଦ୍ୟାଳୟର ଆଧ୍ୟାତ୍ମିକ ଦର୍ଶନରେ ସେ ନିଜକୁ ନିମଗ୍ନକରି ଏକ ଆଧ୍ୟାତ୍ମିକ ଓ ଶୃଙ୍ଖଳିତ ଜୀବନ ବିତାଉଛନ୍ତି ।ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସେ ଧ୍ୟାନ ଦେବେ ବୋଲି ସମସ୍ତେ ଆଶା କରିଛନ୍ତି ।ବିଶେଷତଃ ଗୋରୁମହିଷାଣୀ-ବାଙ୍ଗିରିପୋଷୀ, ବାଦାମ ପାହାଡ଼-କେନ୍ଦୁଝର ରେଳ ସଂଯୋଗୀକରଣ,ଦାଣ୍ଡବୋଷ ଓ ରାସଗୋବିନ୍ଦପୁର ଏରୋଡ୍ରମ ଫିଲ୍ଡ ଉନ୍ନତିକରଣ, ବାଇପାସ୍ ନିର୍ମାଣ,ଲୌହ ଶିଳ୍ପ ପ୍ରତିଷ୍ଠା ଇତ୍ୟାଦି ପାଇଁ ପଥ ପରିଷ୍କାର ହେବାର ସମ୍ଭାବନା ଦେଖା ଦେଉଛି ।