ନକ୍ସଲ ହିଂସାକାଣ୍ଡ : ସହିଦ ହେଲେ ୩ ସିଆର୍‌ପିଏଫ୍‌ ଯବାନ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ନକ୍ସଲଙ୍କ ହିଂସାକାଣ୍ଡ ।

(ନୂଆପଡା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ନକ୍ସଲଙ୍କ ହିଂସାକାଣ୍ଡ । ତେବେ ଏହି କ୍ରମରେ ହମଲାରେ ସହିଦ ହୋଇଛନ୍ତି ୩ ସିଆର୍‌ପିଏଫ୍‌ ଯବାନ। ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ୍‌ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ହୋଇଛି ଏହି ହମଲା। ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହୋଇଥିଲା ହମଲା।

 

ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ସିଂହ ଓ ଧର୍ମେନ୍ଦ୍ର କୁମାର ସିଂହ। ଆଉ କିଛି ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଗୁଳିବିନିମୟ ଚାଲିଥିବା ସୂଚନା ମିଳିଛି। ପ୍ରତି ସହିଦ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବେ ବୋଲି କହିଛନ୍ତି।

 

ସୂଚନାନୁଯାୟୀ , ବୋଡେନ୍‌ ଥାନା ପାଟଧରାରେ ସିଆର୍‌ପିଏଫ୍‌ର ଏକ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହାକୁ ନକ୍ସଲମାନେ ବିରୋଧ କରୁଥିଲେ। କ୍ୟାମ୍ପ ଉଠାଇ ନେବା ପାଇଁ ନକ୍ସଲମାନେ ବ୍ୟାନର ଓ ପୋଷ୍ଟର ମାରି ଦାବି କରି ଆସୁଥିଲେ। ଆଜି ଯବାନମାନେ ଭଇଁସାଦାନିରୁ ପାଟଧରା କ୍ୟାମ୍ପକୁ ଯାଉଥିଲେ। ଏହି ସମୟରେ ନକ୍ସଲମାନେ ହମ୍‌ଲା କରିଥିଲେ। ଏହାର କଡ଼ା ଯବାବ ଦେଇଥିଲେ ସିଆର୍‌ପିଏଫ୍‌ ଯବାନ। ତେବେ ଏହାର ତିନି ଯବାନ ସହିଦ ହୋଇଛନ୍ତି।