ଆଜି ଶିବଶକ୍ତିଙ୍କର ବିବାହ

ଭୁବନେଶ୍ୱର:ଆଜି ପବିତ୍ର ଶୀତଳ ଷଷ୍ଠୀ। ପ୍ରଭୁ ଚନ୍ଦ୍ର ଶେଖର ମହାପ୍ରଭୁଙ୍କ ସହ ଯୋଗମାୟା ପାର୍ବତୀଙ୍କର ହେବ ବାହାଘର। ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅପେକ୍ଷା ଶୁଭ ବେଳାକୁ। । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର । ଗତକାଲି ଥିଲା ଦେବ ନିମନ୍ତ୍ରଣ ବା ହନୁମାନ ନିଉତା । ଏଥିପାଇଁ ସହରର ମୁଖ୍ୟ ଦେବାଦେବୀଙ୍କୁ ପ୍ରଭୁଙ୍କ ବାହାଘର ବରଯାତ୍ରୀରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ଝାଡୁଆପଡାର ଲୋକନାଥ ବାବା , ମୁଦିପଡାର ଜାଗେଶ୍ଵର ବାବା, ବଡବଜାର ଶୀତେଳଶ୍ବରଙ୍କୁ ନିମନ୍ତ୍ରଣ କରିଛନ୍ତି ହନୁମାନ ମହାପ୍ରଭୁ ।

ବିମାନରେ ବିଜେ କରି ବିରାଟ ପଟୁଆରରେ ଯାଇ ହନୁମାନ ମହାପ୍ରଭୁ ପଇତା, ଗାମୁଛା, ଗୁଆ, ହଳଦୀ, ମିଠା ଦେଇ ବାହାଘର ପାଇଁ ନିମନ୍ତ୍ରଣ କରିଛନ୍ତି ।ଆଜି ବିଳମ୍ବିତ ରାତିର ବ୍ରହ୍ମ ମୂହୂର୍ତ ଶୁଭଲଗ୍ନରେ ଶିବ-ପାର୍ବତୀ ବିବାହ ଅନୁଷ୍ଠିତ ହେବ । ବାଜା, ବାଣ,ନାଚ ଗୀତ ସହ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ଯିବେ କନ୍ୟା ଘରକୁ। ସେଠାରେ ବିଧିମତେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହେବ। ଦେବ ଦମ୍ପତିଙ୍କ ବିବାହ ପାଇଁ ଉଭୟ ବର ଓ କନ୍ୟା ଘରେ ଚାଲିଛି ସଜବାଜ। ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଣରେ ଶୀତଳଷଷ୍ଠୀ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଭକ୍ତଙ୍କ ମଧ୍ୟରେ ଭରପୁର ଉତ୍ସାହ ଦେଖିବାକୁ ମିଳିଛି ।