କରାଚି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛନ୍ତି ସିନ୍ଧ ଓ ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ

କରାଚି: ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନର କରାଚିରେ ହୋଇଥିବା ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଓ ସିନ୍ଧ। କରାଚି ସଦର ଅଞ୍ଚଳରେ ଭିଡ ଥିବା ସମୟରେ ଏହି ବିସ୍ଫୋରଣ ହେବାରୁ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡିବାକୁ ଆରମ୍ଭ କରିଥିଲେ । ସୂଚନା ଅନୁଯାୟୀ, ଏହି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଏହି ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ବହୁଦୂର ପର୍ଯ୍ୟନ୍ତ ଶୁଭିଥିଲା ।

ଏହାସହ ପାଖରେ ଥିବା କିଛି ଗାଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଏହି ବୋମା ଡଷ୍ଟବିନ ପାଖରେ ଥିବା ଏକ ସାଇକେଲରେ ରଖାଯାଇଥିବା କୁହାଯାଉଛି । ଏହି ବିସ୍ଫୋରଣ ଟାଇମର ଯୋଗେ କରାଯାଇଛି । କରାଚି ପୋଲିସ ଏହାକୁ ଆତଙ୍କବାଦୀ ଆକ୍ରମଣ କହୁଥିବା ବେଳେ ଏବେ ଏହି ବିସ୍ଫୋରଣ ପାଇଁ ସିନ୍ଧ ଓ ବଲୁଚିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିଛି ।