ବ୍ୟୁରୋ : ବ୍ରଜରାଜନଗରର ଉପନିର୍ବାଚନ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଏବେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କୁ ପ୍ରାର୍ଥୀ କରିଛି ଦଳ । କିଶୋରଙ୍କ ଭଳି ପୁରୁଖା ଓ ଅନୁଭବୀ ନେତାଙ୍କ ଉପରେ ଭରସିବା ସହ ବ୍ରଜରାଜନଗର ବାଜି ଜିତିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ପୂର୍ବରୁ ଏହା କଂଗ୍ରେସର ଗଡ ରହିଥିବାବେଳେ ପୁଣିଥରେ ଏଠାରେ କଂଗ୍ରେସ ହାତ ଟେକିବ ବୋଲି ଆଶା ରଖିଛି ।
ପୂର୍ବରୁ କିଶୋର ବ୍ରଜରାଜନଗରରୁ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ସଂକେତ ଦେଇଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ତେଣୁ ଚଳିତ ଉପ-ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି । ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଭୋଟଦାନ ହେବାକୁ ଥିବା ବେଳେ ଜୁନ୍ ୩ରେ ଫଳାଫଳ ପ୍ରକାଶ ପାଇବ । ତେବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ ନେଇ ଦଳ ବ୍ରଜରାଜନଗର ଉପ ନିର୍ବାଚନରେ ବୈତରଣୀ ପାର ହେବା ନେଇ ଆଶା ଓ ବିଶ୍ୱାସ ପ୍ରକଟ କରିଛି ।