ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ସହିତ ‘ସ୍ୱତନ୍ତ୍ର ଗ୍ରାମସଭା’ ବୈଠକ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲାର ଆଠଟି ବ୍ଳକରେ ପଞ୍ଚାୟତରାଜ ଦିବସ ସହିତ ‘ସ୍ୱତନ୍ତ୍ର ଗ୍ରାମସଭା’ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି କଣିହାଁ ବ୍ଳକ୍ ଅନ୍ତର୍ଗତ ୨୭ ପଞ୍ଚାୟତରେ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ପଞ୍ଚାୟତ ଗୁଡ଼ିକର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ‘ସ୍ବତନ୍ତ୍ର ଗ୍ରାମସଭା’ ଅନୁଷ୍ଠିତ ହୋଇଥିଲା। ସମଲ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ, ବ୍ଲକ୍ ଅଧକ୍ଷ ରାମକୃଷ୍ଣ ପ୍ରଧାନ ଓ କଣିହାଁ ବିଡିଓ ନିଶାନ୍ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ।

ପଞ୍ଚାୟତ ନୋଡାଲ ଅଫିସର ପାର୍ଥବୀ ଦେହୁରୀ, ନାଏବ ସରପଞ୍ଚ ଧରିତ୍ରୀ ପ୍ରଧାନଙ୍କ ସମେତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ। ସେହିପରି ବିଜିଗୋଳ ପଞ୍ଚାୟତ ସରପଞ୍ଚ ରୁକ୍ମିଣୀ ପ୍ରଧାନ, କଣିହାଁରେ ସରପଞ୍ଚ ରଞ୍ଜିତା ବେହେରା ଓ ସାନତ୍ରିବିଡା ସରପଞ୍ଚ  ସୁଜାତା ପ୍ରଧାନଙ୍କ ସଭାପତିତ୍ବରେ ‘ସ୍ୱତନ୍ତ୍ର ଗ୍ରାମସଭା’ ଅନୁଷ୍ଠିତ ହୋଇଥିଲା।

ବ୍ଲକସ୍ଥ  ସାନତ୍ରିବିଡା ପଞ୍ଚାୟତରେ ସ୍ଥାନୀୟ  ସମିତିସଭ୍ୟା ମିନାକ୍ଷୀ ସାହୁ ରାଜ୍ୟ ସରକାରଙ୍କ ସମସ୍ତ  ଜନହିତକର ଯୋଜନାରୁ ଯୋଗ୍ୟ ହିତାଧିକାରୀ କିଭଳି ବାଦ ନପଡିବେ ଏବଂ ସାନତ୍ରିବିଡା ପଞ୍ଚାୟତକୁ ଦୁର୍ନୀତିମୁକ୍ତ ଶୁଶାସନ ଦେବାରେ କିଭଳି ବ୍ଲକରେ ୧ନମ୍ବର ସ୍ଥାନର ବଜାୟ ରଖିବା ସେନେଇ ନାରୀନେତ୍ରୀ ତଥା ସମିତିସଭ୍ୟା ଶ୍ରୀମତୀ ମିନାକ୍ଷୀ ସାହୁ ମତବ୍ୟକ୍ତ କରି ଥିଲେ।

ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା ସାମିଲ ଥିଲେ। ସ୍ୱତନ୍ତ୍ର ଗ୍ରାମସଭାରେ ମନରେଗା ଯୋଜନାରେ ପୋଖରୀ ଖନନ ଓ ରାସ୍ତା ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ, ସୋକ୍ ପିଟ୍ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ସମସ୍ତ ପଞ୍ଚାୟତ ଗୁଡିକରେ ସରକାରଙ୍କ ଲୋକାଭିମୁଖୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଁଚିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।