ଉଦଳା:ସ୍ପଷ୍ଟ ଦିବାଲୋକରେ ଲୁଟ୍ । ତାହା ପୁଣି ଥାନା ଠାରୁ ମାତ୍ର ୫ଶହ ମିଟର ଦୂରରେ । ଘରର ମୁଖ୍ୟ କବାଟ କାଟି ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ୧ ଲକ୍ଷ ୪୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଉଦଳା ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ବ୍ୟାଙ୍କ କୋଲନିରେ । ବ୍ୟାଙ୍କ କୋଲନିର ବାସିନ୍ଦା ଅନାଦୀ ଚରଣ ଗାଁଆଣ ଏବଂ ତାଙ୍କ ସ୍ତ୍ରୀ ଉଭୟ ଚାକିରି କରୁଥିବା ବେଳେ ଉଭୟ ଦିନ ୧୦ ଟା ବେଳେ ଘରୁ ବାହାରି ନିଜର କାମରେ ଯାଇଥିଲେ ।
ଏବଂ ମଧ୍ୟାହ୍ନରେ ଘରକୁ ଫେରି ଦେଖିବା ବେଳକୁ ଘରର ମୁଖ୍ୟ କବାଟ କାଟି କେହି ଦୁବୁର୍ତ ଘର ଭିତରୁ ଲୁଟ୍ କରିଥିବା ଦେଖିବାକୁ ପାଇଥିଲେ । ଦୁବୁର୍ତମାନେ ଘରର ଦୁଇଟି କବାଟ କାଟି ଘର ଭିତରକୁ ପଶିବା ସହିତ ଘର ଭିତରେ ଥିବା ଗଡରେଜ୍ ଭାଙ୍ଗିଛନ୍ତି । ତା ସହିତ ଗଡରେଜ ଭିତରେ ଥିବା ୧ ଲକ୍ଷ ୪୦ ହଜାର ରୁ ଉର୍ଦ୍ଧ୍ୱ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁବୁର୍ତ ।
ସ୍ପଷ୍ଟ ଦିବାଲୋକରେ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁବୁର୍ତ । ଏହା ଜାଣିବା ପରେ ଅନାଦୀ ଚରଣ ଏ ନେଇ ଉଦଳା ପୋଲିସ୍ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ।