ସରକାରୀ ଚାକିରିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମିଳିବ ସପ୍ତମ ବେତନ କମିଶନର ଶେଷ ବକେୟା ଅର୍ଥ

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ପାଇଁ ମୁଖ୍ୟମନ୍ତୀଙ୍କ ବଡ଼ ଘୋଷଣା । ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ପ୍ରକାଶ ପାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଦ୍ୱାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଆଜି ଏହି ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି। ତେବେ ପୂର୍ବରୁ ଏହି ବକେୟାର ୮୦ ପ୍ରତିଶତ ପ୍ରଦାନ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ୨୦୨୧-୨୨ ଅତିରିକ୍ତ ବଜେଟରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କର୍ମଚାରୀମାନେ ଏହି ବକେୟା ଅର୍ଥ ଚଳିତ ମାର୍ଚ୍ଚ ମାସ ଦରମାରେ ପାଇପାରିବେ। ଏହାଦ୍ବାରା କର୍ମଚାରୀମାନେ ସପ୍ତମ ବେତନ କମିଶନ ଦରମା ବାବଦ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ସପ୍ତମ ବେତନ କମିଶନରଙ୍କ ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ଠାରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ମାସ ଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ। ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟୀ, ଜାନୁଆରୀ ୨୦୧୬ ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୨୦ ମାସର ବର୍ଦ୍ଧିତ ବକେୟା ଦରମା ବିଭିନ୍ନ କିସ୍ତିରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୭-୧୮ରେ ୪୦ ପ୍ରତିଶତ, ୨୦୧୯-୨୦ରେ ୧୦ ପ୍ରତିଶତ ଓ ୨୦୨୧-୨୨ରେ ୩୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷେ, ପେନ୍ସନଭୋଗୀ ମାନେ ମଧ୍ୟ ସେମାନଙ୍କ ଦରମାର ଶତକଡା ୧୦୦ ପ୍ରତିଶତ ପାଇସାରିଛନ୍ତି।