ଗଦାଶିଳାରେ ମହିଳା ସମାବେଶ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କମିଟି ପକ୍ଷରୁ ଗଦାଶିଳା ଗୋଷ୍ଠୀ କେନ୍ଦ୍ର ଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ୮ ମାର୍ଚ୍ଚ ଠାରୁ ଏକ ପକ୍ଷ ବ୍ୟାପୀ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ଆଜିର ଏହି ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଗଠନର ବ୍ଲକ କମିଟି ଉପସଭାନେତ୍ରୀ ନିର୍ମଳା ପ୍ରଧାନ ସଭାପତିତ୍ବ କରିଥିବା ବେଳେ ସଂପାଦିକା ପ୍ରଗତିବାଳା ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଏ.ଆଇ.ଏମ.ଏସ.ଏସରରାଜ୍ୟ ଉପସଭାନେତ୍ରୀ ସରୋଜିନୀ ନାୟକ ଯୋଗ ଦେଇ ଆନ୍ତର୍ଜାତିକ ମହିଳା ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିବା ସହିତ କ୍ରମ ବର୍ଷମାନ ନାରୀ ନିର୍ଯ୍ୟାତନା, ଅପସଂସ୍କୃତି, ଅଶ୍ଳୀଳତା, ମଦ-ମାଦକ୍ୟ ଦ୍ରବ୍ୟର ପ୍ରଚାର ପ୍ରସାର ବିରୁଦ୍ଧରେ ସଂଗଠିତ ହୋଇ ଶକ୍ତିଶାଳୀ ଆନ୍ଦୋଳନ ଗଢିତୋଳିବାକୁ ଆହ୍ବାନ ଦେଇଥିଲେ । ଅନ୍ୟତମ ବକ୍ତାଭାବେ ଜିଲ୍ଲା ସଂପାଦିକା ମାନସୀ ସାଇଁ ଯୋଗଦେଇ ମହିଳାମାନେ । ଏକଜୁଟ୍ ହୋଇ ପୁଞ୍ଜିବାଦୀ ପଙ୍କିଳ ସମାଜ ବ୍ୟବସ୍ଥାକୁ ଭାଙ୍ଗି ସମାଜତାନ୍ତ୍ରିକ ସମାଜ ବ୍ୟବସ୍ଥା ପ୍ରତିଷ୍ଠା କରିବା ଦ୍ଵାରା ହିଁ ମହିଳା ମାନଙ୍କ ମୁକ୍ତି ସମ୍ଭବ ବୋଲି କହିଥିଲେ ।ଶେଷରେ ସଂଗଠନର ସଂଗଠିକା ମିନତୀ ସାମଲ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେମାମଣି ନାଏକ, ପଙ୍କଜିନୀ ସିଂ, ଲିଲି ସାହୁ, ସଙ୍ଗିତା ସିଂ, ମୀନା ନାଏକ, ମମତା ସାହୁ ପ୍ରମୁଖ ସଂଗଠିକାମାନେ ଏହି ସମାବେଶରେ ସକ୍ରୀୟ ଭୂମିକା ପାଳନ କରିଥିଲେ ।