କଣିହାଁ ପୁଲିସ ନାକ ତଳେ ଚାଲିଛି ଚୋରା କୋଇଲା କାରବାର

ଅନୁଗୁଳ/ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ଥାନା କଂସମୁଣ୍ଡା ଚୋରା କୋଇଲା ଡିପୋରେ ଜିଲ୍ଲା ପୁଲିସର ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରିଛି। ଚଢ଼ାଉ ବେଳେ ଗୋଟିଏ କୋଇଲା ବୋଝେଇ ଟ୍ରକ୍, ହାଇୱା ସହିତ ଏକ ଜେସିବି ମେସିନ୍ ପୁଲିସ୍ ଜବତ କରିଛି। ତେବେ ଚଢ଼ଉ ପୂର୍ବରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, କଣିହାଁ ଥାନା କଂସମୁଣ୍ଡା ଜୟପୁର ସାହିରେ ବର୍ଷତମାମ୍ ଚୋରା କୋଇଲା ଡିପୋ ଚାଲିଆସୁଥିଲା। ଖଣି ଇଲାକାରୁ କୋଇଲା ଚୋରି କରି ଏଠାରେ ଜମା ହେବା ପରେ ଗାଡ଼ି ଯୋଗେ ବାହାରକୁ ବିନା କାଗଜପତ୍ରରେ ଚାଲାଣ ହେଉଥିଲା। ନିତି ଏହି ରାସ୍ତା ଦେଇ ସ୍ଥାନୀୟ ପୁଲିସ ପେଟ୍ରୋଲ୍ଲୀଙ୍କ ଗାଡ଼ି ଯାତାୟାତ କରୁଥିଲେ ମଧ୍ୟ କାହା ନଜରରେ କେମିତି ପଡୁନଥିଲା ସେ ନେଇ ପ୍ରଶ୍ନଚାବୀ ସୃଷ୍ଟି ହୋଇଛି। ଆଜି ପୂର୍ବାହ୍ନରେ ବିଶେଷ ସୂତ୍ରରୁ ଖବର ପାଇ ତାଳଚେର ଏସ୍ଡିପିଓ ଆଇପିଏସ୍ ସ୍ଵାତୀ ଏସ୍. କୁମାରଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ୍ର ସ୍ଵତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରିଥିଲା। ଜବତ ଗାଡ଼ି ଓ ଜେସିବି ମେସିନ୍ ସ୍ଥାନୀୟ ଥାନା ପୁଲିସକୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ୍ ଏହି ଘଟଣାର ତଦନ୍ତ ଚଲାଇଛି। ଜବତ ଦୁଇ ଗାଡିରୁ ପ୍ରାୟ ୩୦ଟନ୍ ଚୋରା କୋଇଲା ଜବତ ହୋଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି।