ଇଣ୍ଡିଆ ବୁକ ଅଫ ରେକର୍ଡରେ କୁନି ଝିଅ ପରିରୂପା

ଉଦଳା (ଦୀପକ କୁମାରି ମିଶ୍ର )କଥାରେ ଅଛି ଇଚ୍ଛା ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇପାରେ । ହେଲେ ଆଜିର ପିଢୀ ପଥଭ୍ରଷ୍ଟ ହେଉଥିବା ବେଳେ ଏକ କୁନିଝିଅ କିନ୍ତୁ କରି ଦେଖାଇଛି ଏକ ନୂଆ ରେକର୍ଡ । ଶ୍ରୀମଦ୍ ଭଗବତ ଗୀତାର ୭ଶହ ଶ୍ଳୋକକୁ ଏକ ଘଂଟାରେ ଆବୃତି କରି ବନାଇଛି ବିରଳ ରେକର୍ଡ । ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଛି ୮ ବର୍ଷର କୁନି ଝିଅ । ଦେଖନ୍ତୁ ଆମର ଏହି ରିପୋର୍ଟ ।  ଆପଣ ଭିନ୍ନ ଭିନ୍ନ ତରିକାରେ ଏବଂ ଭିନ୍ନ କଳାକୃତି କରି ଅନେକ ରେକର୍ଡ ହୋଇଥିବା ଶୁଣିଥିବେ । ହେଲେ ସଂସ୍କୃତ ଭାଷାରେ ଲେଖା ହୋଇଥିବା ଗୀତାର ୭ଶହ ଶ୍ଳୋକକୁ ଏକ ଘଂଟାରେ ଆବୃତି କରି ଜଣେ କୁନି ଝିଅ ବନାଇଛନ୍ତି ରେକର୍ଡ । ତାହା ପୁଣି ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ଏବେ ତାଙ୍କ ନାମ । ଆମେ କହୁଛୁ ୮ ବର୍ଷର କୁନି ଝିଅ ପରିରୂପା ମହାନ୍ତଙ୍କ କଥା ।

ଉଦଳା ବ୍ଲକ ବଳଭଦ୍ରପୁର ଗ୍ରାମର ତପନ ମହାନ୍ତ ଏବଂ ମମତା ମହାନ୍ତଙ୍କର ଗୋଟିଏ ବୋଲି ଝିଅ ପରିରୂପା । ଘରେ ପ୍ରତିଦିନ ମା ଗୀତା ପଢୁଥିବାର ଦେଖି ମାତ୍ର ୭ ବର୍ଷ ବୟସରେ ସେ ଗୀତା ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଗୀତାର ୧୮ ଗୋଟି ଅଧ୍ୟାୟର ଗୋଟିଏ ଗୋଟିଏ ଶ୍ଳୋକ ପଢିବା ସହିତ ତାହାକୁ ବୁଝିବା ଆରମ୍ଭ କରିଲେ । ହେଲେ ଧୀରେ ଧୀରେ ଗୀତାର ଶ୍ଲୋକରେ ସେ ଏପରି ହଜିଗଲେ ଯେ ଗୀତାର ସମସ୍ତ ସଂସ୍କୃତ ଶ୍ଳୋକକୁ ଆବୃତି କରିବାକୁ ଲାଗିଲେ । ମୁହଁ ଖୋଲିଲେ ବାହାରି ଚାଲିଲା ଅନର୍ଗଳ ଗୀତାର ଶ୍ଳୋକ । କେବଳ ଗୀତାର ଶ୍ଳୋକ ଉଚ୍ଚାରଣ କରୁ ନ ଥିଲେ ତାହାକୁ ବିଶ୍ଳେଷଣ କରି ଓଡିଆରେ ଅନୁବାଦ କରି ବୁଝାଉଥିଲେ ମଧ୍ୟ । ଆଉ ସେହି ଚେଷ୍ଟା ଏବଂ ଅଭ୍ୟାସ ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ମାତ୍ର ଏକ ଘଂଟା ଅର୍ଥାତ୍ ୬୦ ମିନିଟ୍ ଭିତରେ ଗୀତାର ୭ଶହ ଗୋଟି ସଂସ୍କୃତ ଶ୍ଳୋକକୁ ସେ ଆବୃତି କରି ଏବେ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

 

ଅନଲାଇନରେ ତାଙ୍କର ପ୍ରତିଭାକୁ ଦେଖିବା ସହିତ ବିଚାରକମାନେ ତାଙ୍କୁ ସିଲେକ୍ସନ କରିଥିଲେ । ଏବଂ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ତାଙ୍କ ନାମରେ ରହିଗଲା ଏକ ନିଆରା ରେକର୍ଡ । ମାତ୍ର ଏକ ବର୍ଷର ଚେଷ୍ଟା ଭିତରେ ସେ ଏପରି ଏକ ବିରଳ ରେକର୍ଡ ଯୋଡି ହୋଇଯାଇଛି । ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ପରିରୂପା ଏପରି ଏକ ବିରଳ ରେକର୍ଡ କରି ସ୍ଥାନୀୟ ଅଂଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ଆଉ ଏବେ ସେ ବିସ୍ମୟ ବାଳିକା ପାଲଟିଯାଇଛନ୍ତି । କେବଳ ସେତିକି ନୁହେଁ ଗୀତା ପଢିବା ପରେ ସେ ଯଥା ସମ୍ଭବ ସାଧାରଣ ଲୋକଙ୍କୁ ଗୀତାର ସାରମର୍ମ ବୁଝାଇ ବିପଥଗାମୀ ହେଉଥିବା ଯୁବପିଢୀଙ୍କୁ ସୁପଥଗାମୀ କରାଇବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବା ପରେ ତାଙ୍କୁ ମିଳିଛି ମ୍ୟାଡେଲ, ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ।   ତେବେ ପରିରୂପା ଯେବେଠାରୁ ଗୀତା ପଢିବା ଆରମ୍ଭ କରିଲେ ଏବଂ ଗୀତା ପ୍ରତି ତାଙ୍କର ଆଗ୍ରହ ବଢିଲା ସେବେଠାରୁ ମାଆ ମମତା ତାଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରି ଆସିଛନ୍ତି । ଏହା ସହିତ ଝିଅ ଭିତରେ ଏକ ପ୍ରତିଭାକୁ ଦେଖି ମାଆଙ୍କ ମନ ପୁରା ଖୁସ୍ । ତେବେ ମାତ୍ର ୮ ବର୍ଷ ବୟସର ପରିରୂପା ଗୀତାର ଅଷ୍ଟାଦଶ ଅଧ୍ୟାୟର ୭ଶହ ଶ୍ଳୋକ ବହି ନ ଦେଖି ଉଚ୍ଚାରଣ କରିବା ସହିତ ତାହାକୁ ବ୍ୟାଖ୍ୟା କରିବା ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରେରଣାଦାୟୀ । ଆଉ ତାଙ୍କର ଏପରି ସଫଳତା ପାଇଁ ବାପାମାଆଙ୍କ ସମେତ ପୁରା ଉଦଳା ଅଂଚଳ ଗର୍ବିତ ।