ଅନୁଗୁଳ/ (ଜ୍ୟୋତିରଞ୍ଜନ ଧର ) :- ସବୁ କଳ୍ପନା ଜଳ୍ପନା ଅନ୍ତ ଘଟିଲା । ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ଅଳଙ୍କୃତ କରିଛନ୍ତି ବିଜେଡି ନେତ୍ରୀ ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷା ଦାୟିତ୍ୱ ତୁଲାଇଥିଲେ । ସେତେବେଳେ ବିଜେଡି ଦଳର କନିଷ୍ଠ ଠାରୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହିତ ସମନ୍ଵୟ ରଖି ବବିତା ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ରାଜନୈତିକ ଗୋଟି ଚାଳଣା ଓ ବିରୋଧୀ ଗଣିତକୁ ଭୂଲ ପ୍ରମାଣିତ କରିବାରେ ସେ ବେଶ ଚତୁର ଓ ପାରଙ୍ଗମ। ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଶ୍ରୀମତୀ ପ୍ରଧାନ କିଶୋରନଗର ବ୍ଲକ ୧୧ ନମ୍ବର ଜୋନରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ପରିଷଦ ଭାବେ ନିର୍ବାଚନ ଲଢିଥିଲେ। ନିକଟତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ମାତ୍ର ୪୨୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଅନୁଗୁଳ ଜିଲ୍ଲାର ମୋଟ ୨୮ ଟି ଆସନ ମଧ୍ୟରୁ ବିଜୁ ଜନତା ଦଳ ୨୭ ଟି ଆସନ ଜିତିଥିବା ବେଳେ ବିଜେପି କେବଳ ଗୋଟିଏ ଆସନ ହାତେଇଥିଲା ।ଏଣୁ ବିଜେଡିର ଅଧ୍ୟକ୍ଷ ପଦ ହେବା ଥୟ କିନ୍ତୁ ଅଧ୍ୟକ୍ଷ ମୁକୁଟ କିଏ ପିନ୍ଧିବ ତାକୁ ନେଇ ଚାଲିଥିଲା ଟଣାଓଟରା । ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶ୍ରୀମତୀ ବବିତା ପ୍ରଧାନଙ୍କ ନାମରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ ଏକ ବନ୍ଦ ଲଫାପାରେ ସୂଚନା ଦେଇଥିଲେ । ସେ ଅନୁସାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖେ ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଅଗ୍ରସର ହୋଇଥିଲେ। ସେଠାରେ ବନ୍ଦ ହୋଇଥିବା ଲଫାପାକୁ ଖୋଲିବା ପରେ ଶ୍ରୀମତୀ ପ୍ରଧାନଙ୍କ ନାମ ସୂଚନା ମିଳିଥିଲା । ଏହା ପରେ ବିଧିବଦ୍ଧ ଭାବରେ ଶ୍ରୀମତୀ ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିଲା । ଆଉ ୨୭-୧ ସଂଖ୍ୟା ଗରିଷ୍ଠତା ଥିବା ହେତୁ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ଵନ୍ଦରେ ଶ୍ରୀମତୀ ପ୍ରଧାନ ଚୟନ ହୋଇଥିଲେ ।