ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ନିକଟରେ ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଏବେ ତାଙ୍କ ବିରୋଧରେ ସରକାର କାର୍ୟ୍ୟାନୁଷ୍ଠାନ ନେଇ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଂଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଏକାସମୟରେ ତଲାସୀ କରାଯାଇଥିଲା । ଏହି ତଲାସୀରୁ ତାଙ୍କର ବିପୁଳ ପରିମାଣରେ ସମ୍ପତ୍ତି ଥିବାର ଜଣାଯାଇଥିଲା । ତାଙ୍କ ପାଖରୁ ସମୁଦାୟ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୨ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯିବାରେ ତ୍ରିନାଥ ମିଶ୍ର ହେଉଛନ୍ତି ଅନ୍ୟତମ ବରିଷ୍ଠ ଅଧିକାରୀ ।