ଭୁବନେଶ୍ୱର: ବରିଷ୍ଠ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ । ମାତ୍ର ୬୩ ବର୍ଷ ବୟସରେ ମିହିରଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ସେ କିଡନୀ ସଂକ୍ରମଣରେ ଗୁରୁତର ହୋଇପଡିଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିହିରଙ୍କର ଏକାଧିକ ଅଙ୍ଗ ସଂକ୍ରମିତ ହୋଇଥିଲା ।
୧୯୫୯ ଫେବ୍ରୁଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତ ମିହିର ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମିହିର ଦାସ ପାଦ ଥାପିଥିଲେ । ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍’, ‘ଗୁଣ୍ଡା’, ‘ମାଇଁ ଲଭ୍ ଷ୍ଟୋରୀ’, ‘ପହିଲି ରାଜା’, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍’ ଅନ୍ୟତମ । ଉକ୍ରୃଷ୍ଟ ଅଭିନୟ ପାଇଁ ସେ ଏକାଧିକ ପୁରସ୍କାର ପାଇଛନ୍ତି । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ଏହି ଖବର ପ୍ରସାରିତ ହେବା ପରେ ଓଡିଆ ସିନେ, ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି ।