ସଂକ୍ରମଣ ବଢୁଛି: ନିଆଯାଇପାରେ ନିଷ୍ପତ୍ତି

ପୁରୀ/ ଜୟନ୍ତ ସେଠୀ: କୋଭିଡ ସଂକ୍ରମଣ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତ କିଛି କୋଭିଡ ସଂକ୍ରମିତ ହେଲେଣି। ଯାହା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି। ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କୋଭିଡ ସଂକ୍ରମିତ ଅଧିକ ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଣୁ କିଭଳି ଶ୍ରୀମନ୍ଦିର ଭିତରେ କୋଭିଡ ଗାଇଡ଼ ଲାଇନ କଡାକଡି କରିହେବ , କଣ ବିକଳ୍ପ ବ୍ୟବସ୍ଥା ରହିଛି , ଶ୍ରୀମନ୍ଦିର ପୂର୍ବ ଭଳି ଭକ୍ତଙ୍କ ପାଇଁ ବନ୍ଦ କରିବା ଉଚିତ ହେବ କି ନାହିଁ ସେ ନେଇ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକରେ ନିଷ୍ପତ୍ତି ହେବ। ଭରଚୁଆଲ ମୋଡ଼ ରେ ଏହି ବୈଠକ ହେବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ଛତିସା ନିଯୋଗ ସଦସ୍ୟ , ପୁରୀ ଜିଲ୍ଲାପାଳ ଏହି ବୈଠକରେ ଉପସ୍ଥିତ ରହିବେ। ସେପଟେ ଆଜି ଠାରୁ ସବୁ ସହରାଞ୍ଚଳରେ ରାତି ୯ ଟା ରୁ ସକାଳ ୫ ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେଉ ଥିବା ଦୃଷ୍ଟି ରୁ ଶ୍ରୀମନ୍ଦିର ରେ ମଧ୍ୟ ଦର୍ଶନ ନେଇ ଥିବା ସମୟ ସାରଣୀ ରେ ପରିବର୍ତ୍ତନ କରାଯାଇଛି। ଏଣିକି ଭକ୍ତ ମାନେ ରାତି ୮ ଟା ୩୦ ସୁଦ୍ଧା ଶ୍ରୀମନ୍ଦିରରେ ପ୍ରବେଶ କରିବେ। ରାତି ୯ ଟା ପୂର୍ବରୁ ଶ୍ରୀମନ୍ଦିର ରୁ ପ୍ରତ୍ୟାବର୍ତ୍ତନ କରିବେ। ରାତି ୮ ଟା ୩୦ ପରେ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ ।