ବିରୁଧୁନଗର: ନୂଆବର୍ଷର ପ୍ରଥମ ଦିନରେ ହିଁ ଦେଶର ବିଭିନ୍ନ ସ୍ଥାନରେ ଘଟି ଚାଲିଛି ଅନେକ ଦୁର୍ଘଟଣା । ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟା ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ସାମନାକୁ ଆସି ନଥିବା ବେଳେ ତାମିଲନାଡୁରେ ଘଟିଛି ଆଉ ଏକ ଦୁଃଖଦ ଘଟଣା । ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ନିଆଁ ଲାଗିଯାଇଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସକାଳେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ବିରୁଧୁନଗର ଜିଲ୍ଲାର ଜିଲ୍ଲାପାଳ ମେଘନାଥ ରେଡ୍ଡି କହିଛନ୍ତି “ଏହି ଦୁଃଖଦନୀୟ ଘଟଣାରେ ତିନି ଜଣ ପ୍ରାଣ ହରାଇବା ସହ ପାଞ୍ଚ ଜଣ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି”। ଦୁର୍ଘଟଣାରେ ଆହତ ୫ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଶରୀରର ୨୦ ଭାଗରୁ ଅଧିକ ଅଂଶ ପୋଡି ଯାଇଥିବା ସୂଚନା ମିଳିଛି । ତେବେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି ।