ନୂଆପଡା: ନୂଆପଡା ଖଡିଆଳ ଥାନା ମହୁଲ କୋଟ ଗାଁରେ ବସିଛି କଙ୍ଗାରୁ କୋର୍ଟ । ପ୍ରେମ ସମ୍ପର୍କ ଥିବା ନେଇ ସନ୍ଦେହରେ ଜଣେ ବିବାହିତା ମହିଳାଙ୍କୁ ମାଡ । ଏଥି ସହିତ ମହିଳାଙ୍କର ଚୁଟି କାଟିବା ସହ ମୁହଁରେ କଳା ବୋଳି ଗାଁ ଦାଣ୍ଡରେ ବୁଲାଇଛନ୍ତି ସ୍ଥାନୀୟ ଲୋକେ ।
ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କର ସ୍ୱାମୀ ବାହାରେ ରୁହନ୍ତିା ତେଣୁ ଗାଁରେ ଏକା ରୁହନ୍ତି ମହିଳା । କିନ୍ତୁ ମହିଳା ଏବଂ ଗାଁର ଜଣେ ପୁରୁଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରିଥିଲେ ଗ୍ରାମବାସୀ । ଫଳରେ ଉଭୟଙ୍କ ଉପରେ ହୋଇଥିଲା ଅତ୍ୟାଚାର । ଯାହାକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ଏଥିରେ ମହିଳା ଏବଂ ଯୁବକ ଏବଂ ମହିଳା ଉଭୟଙ୍କର ଚୁଟି କାଟି ଦେଇଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟକର ଘଟଣା ଏମିତି କରିବାରେ ଗାଁ ଲୋକଙ୍କୁ ମହିଳାଙ୍କ ପରିବାର ମଧ୍ୟ ସମର୍ଥନ କରିଥିଲେ । ଉଭୟଙ୍କ ଚୁଟି କାଟି ମୁହଁରେ କଳା ବୋଳି ଗାଁ ଦାଣ୍ଡରେ ବୁଲାଇଛନ୍ତି । ଏହାପରେ ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ମହିଳାଙ୍କ ଶ୍ୱଶୁର, ଦିଅରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଖଡିଆଳ ପୋଲିସ ।